ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଆୟୋଜିତ…

ଅନୁଗୋଳ, ୧୯/୧୧ (ଧନଞ୍ଜୟ ନାୟକ) : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୩ ଆୟୋଜିତ ହୋଇଯାଇଛି । ଆଠମଲ୍ଲିକ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମେଳାରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ, ସମ୍ବଲପୁର ସାଂସଦ ପ୍ରତିନିଧି ପରେଶ ଦେଓ, ଆଠମଲ୍ଲିକ ଉପ ଜିଲ୍ଲାପାଳ ଡାକ୍ତର ଜିତେନ୍ଦ୍ର କୁମାର ପାତ୍ର, ଜ୍ୟୋର୍ତିଦିପ୍ତ ପଟ୍ଟନାୟକ, ସି.ଡି.ଏମ୍.ଓ, ଅନୁଗୋଳ; ରାଜେନ୍ଦ୍ର କୁମାର ପାତ୍ର, ଡି.ଏଫ୍.ଓ, ଅନୁଗୋଳ; ଅମର ଲୁଗୁନ୍, ଡି.ଡି.ଏଚ୍., ଅନୁଗୋଳ; ପ୍ରଦ୍ୟୁତ୍ ପଟ୍ଟନାୟକ, ଇ.ଇ.(କୃଷି), ଢେଙ୍କାନାଳ; ପ୍ରିୟବ୍ରତ ସାହୁ, ଏଲ୍.ଡି.ଏମ୍., ନାବାର୍ଡ, ଅନୁଗୋଳ; କୃଷି, ଆତ୍ମା ଅଧ୍ୟକ୍ଷ ଚୌଧୁରୀ ସାଏ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ରମେଶ ସାଏ ମେଳାର ମହତ୍ୱ, କୃଷି ଯନ୍ତ୍ରପାତିର କାର୍ଯ୍ୟକାରିତା ଏବଂ ଏହାଦ୍ୱାରା କିଭଳି ଚାଷକାର୍ଯ୍ୟ ସହଜ ହୁଏ ବୁଝାଇବା ସହ କୃଷିକୁ ଗୁରୁତ୍ୱ ଦେଇ କୃଷକଙ୍କୁ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ । ଆଠମଲ୍ଲିକରେ କୃଷିର ଉର୍ନ୍ନତି ପାଇଁ ଜଳସେଚନ ନିମନ୍ତେ ମାନଯୁର ପ୍ରୋଜେକ୍ଟକୁ କାର୍ଯ୍ୟକାରୀ କରାଯିବା ପାଇଁ ବିଧାୟିକା ନିଜେ ଉଦ୍ୟମ କରୁଥିବା ସହ ରାଜ୍ୟ ସରକାର ମଧ୍ୟ ଗୁରୁତର ସହ ଏହାକୁ ବିଚାର କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ କୃଷି ଯନ୍ତ୍ରପାତି ମେଳା, କୃଷି ଓ କୃଷକ ସମ୍ବନ୍ଧୀୟ ବହୁତ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି ମେଳା ଆସନ୍ତା ତିନିଦିନ ଧରି ଚାଲିବାକୁ ଥିବାବେଳେ ବହୁ ଜନସମାଗମ ଦେଖିବାକୁ ମିଳିଛି । ବହୁ ପ୍ରକାର କୃଷି ଯନ୍ତ୍ରପାତି, ଉପକରଣ, ମାଣ୍ଡିଆ ଜାତୀୟ ଖାଦ୍ୟ, ହାତ ତିଆରି ବଡି, ପାମ୍ପଡ଼, ଆଚାର, ବିଭିନ୍ନ ପ୍ରକାର ପନିପରିବା, ଫଳମୂଳ ଇତ୍ୟାଦିର ପସରା ପାଇଁ କୃଷକ ଓ ବହୁ ଜନସାଧାରଣ ଏହି ମେଳାକୁ ଦେଖିବାକୁ ଆସୁଛନ୍ତି ।