ମରଣଯନ୍ତା ପାଲଟିଛି ପୁରୁଣା କଟକ ସମ୍ବଲପୁର ରାସ୍ତା…

ହିନ୍ଦୋଳ, ୧୮/୧୧ (ସୁଜିତ୍ କୁମାର ବେହେରା) : ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ଏନ୍ଏଚ -୪୨ ରାସ୍ତା ନିର୍ମାଣରେ ଅବହେଳା ଓ ମନ୍ଥର ଗତିରେ ନିର୍ମାଣ ହେତୁ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତାରେ ବହୁ ସଂଖ୍ୟାରେ ଯାନବାହାନ ଯାତାୟାତ କରୁଛି । ଯାହା ଫଳରେ ରାସ୍ତା ଯାମ୍ ହେବା ସହ ଏହି ରାସ୍ତାରେ ଦୈନନ୍ଦିନ ଦୁର୍ଘଟଣାରେ ଜୀବନ ହରାଉଛନ୍ତି ସାଧାରଣ ଲୋକ । ଖବରରୁ ପ୍ରକାଶ ଯେ, ଗତ ନଭେମ୍ବର ୧୬ ତାରିଖ ବିଳମ୍ବିତ ସନ୍ଧ୍ୟାରେ ହିନ୍ଦୋଳ ବ୍ଲକ ହାତୁରା ପଂଚାୟତ ପଡା ଛକ ନିକଟରେ ଥିବା ଏକ ଗଛରେ ଏକ ବାଇକ ପିଟି ହୋଇଯିବାରୁ ଦୁଇଜଣ ଯୁବକ ଶୋଚନୀୟ ମୃତ୍ୟୁ ବରଣ କରିଛନ୍ତି । ବାଇକରେ ଥିବା ନାଲକୋ ଥାନା ତୁରଙ୍ଗ ଗ୍ରାମର ସ୍ୱର୍ଗତ ଭରତ ବେହେରାଙ୍କ ପୁଅ ସୁଶାନ୍ତ ବେହେରା (୧୯) ଓ ତାଙ୍କ ସାଙ୍ଗ ମଳୟ ଭୋଇଙ୍କ ପୁଅ ମାନସ ଭୋଇ (୨୦) କୌଣସି କାମରେ ରସୋଳ ଆସି ଫେରୁଥିବା ସମୟରେ ପଡାଛକଠାରେ ଥିବା ଏକ ଗଛରେ ଦ୍ରୁତଗତିରେ ଆସି ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ଚାଳକ ସୁଶାନ୍ତ ବେହେରା ମୃତ୍ୟୁବରଣ କରିଥିବାବେଳେ ମାନସ ଭୋଇ ଗୁରୁତର ଆହତ ହୋଇଥିଲେ । ଖବରପାଇ ହିନ୍ଦୋଳ ଥାନା ପୋଲିସ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହିନ୍ଦୋଳ ହସ୍ପିଟାଲ ଆଣିଥିଲେ । ସେଠାରେ ଗୁରୁତର ଥିବା ମାନସଙ୍କୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ମାନସ ମୃତ୍ୟୁବରଣ କରିଥିଲେ । ଏ ବାବଦରେ ଫାଣ୍ଡି ଅଧିକାରୀ କେଶ ନଂ -୨୯୯/୨୩ରେ ମାମଲା କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।