ଓଡିଶା

ଗତ ୨୦ ବର୍ଷ ମଧ୍ୟରେ ଗଣମାଧ୍ୟମର କ୍ରମବିକାଶ ଘଟିଛି – ମେୟର

ଭୁବନେଶ୍ୱର, ୧୭/୧୧ (ଅଭିଜିତ୍ ସିଂ) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ ହୋଇଯାଇଛି । ବିଏମ୍ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଂଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁଙ୍କ ସମେତ କର୍ପୋରେଟରମାନେ ମଂଚାସୀନ ଥିଲେ ।
ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ସମ୍ବାଦ, ସାମ୍ବାଦିକତା, ସମାଜ ପ୍ରତି ଦାୟୀତ୍ୱବୋଧ ଇତ୍ୟାଦି ସଂପର୍କରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ଆଲୋକପାତ କରିଥିଲେ । ସାମ୍ବାଦିକମାନେ ସମ୍ବାଦ ପରିବେଷଣ କରିବା ସମୟରେ ସେମାନଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ରହିଥାଏ । ଗଣମାଧ୍ୟମ ସଂସ୍ଥାର ମାଲିକଙ୍କ ଚାପ, ବରିଷ୍ଠ ଅଧିକାରୀଙ୍କ ଚାପ, ସମାଜର ଚାପ, ରାଜନୈତିକ ନେତା, ସରକାର, ଅସାମାଜିକ ବ୍ୟକ୍ତି ଏପରିକି ଜୀବନ ଯିବାର ମଧ୍ୟ ଭୟ ଥାଏ । ଏହାରି ଭିତରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରଖି ସାମ୍ବାଦିକକୁ ଆଗେଇବାକୁ ପଡେ । ଶୁଣା କଥାକୁ ଖବରଭାବେ ଗ୍ରହଣ ନ କରି ବାସ୍ତବତା ଅନୁଧ୍ୟାନ କରିବା ସାମ୍ବାଦିକର ଧର୍ମ ହେବା ଦରକାର । ଲୋକମାନଙ୍କ ସମସ୍ୟାକୁ ସରକାରଙ୍କର ନିକଟରେ ଏବଂ ସରକାରଙ୍କ ବିଭିନ୍ନ ଯୋଜନା, ନୀତି, ନିୟମ ଇତ୍ୟାଦିକୁ ଲୋକମାନଙ୍କ ନିକଟରେ ପହଂଚାଇବା ଗଣମାଧ୍ୟମର ଧର୍ମ ହେବା ଉଚିତ । ସମସ୍ତ ଚାପର ଉଦ୍ଧ୍ୱର୍ରେ ରହି ସତ୍ୟ ଲୋକଲୋଚନକୁ ଆଣିବା ଦରକାର ବୋଲି ସମାମ୍ବାଦିକ ବିବୁଧ ମହାନ୍ତି, ସ୍ୱାତୀ ଜେନା, ସୁମନ୍ତ ସୁନ୍ଦରାୟ, ସୌମ୍ୟରଂଜନ ନାୟକ, ଚିତରଂଜନ ମାଝୀ, ପ୍ରମୁଖ ମତବ୍ୟକ୍ତ କରିଥିଲେ ।
ସାମ୍ବାଦିକମାନେ ନିରପକ୍ଷତା ରକ୍ଷା କରିବା ଦରକାର । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ସତ୍ୟଖବର ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିବା ଦରକାର ବୋଲି କର୍ପୋରେଟର ଅଜିତ ବେହେରା କହିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକତାର ଗୁରୁତ୍ୱବୃଦ୍ଧି ପାଇଛି ଏବଂ ସମ୍ବାଦ ପରିବେଷଣ ଦ୍ୱାରା ଉଭୟ ସରକାର ବା ପ୍ରଶାସନ ଏବଂ ଲୋକମାନେ ସଚେତନ ହେଉଛନ୍ତି । ଫଳରେ ସାମାଜିକ ବିକାଶରେ ବେଶ ସହାୟକ ହୋଇପାରିଛି । ତେବେ ସାମ୍ବାଦିକମାନେ ଉଭୟ ପକ୍ଷର ମତାମତ ନେଇ ସମ୍ବାଦ ପରିବେଷଣ କରିବାକୁ ମତବ୍ୟକ୍ତ କରିଥିଲେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୂପକାର ।
ପ୍ରଶାସନ ଲୋକମାନଙ୍କର ସେବା କରିବା ପାଇଁ ରହିଛି । ସରକାରଙ୍କର ନିର୍ଦେଶକୁ କାର୍ଯ୍ୟକାରୀ କରିବା ପ୍ରଶାସନର କାମ । କାମ କରିବା ପୂର୍ବରୁ ଏବଂ କାମ ସମୟରେ ସରକାରୀ ନୀତି, ନିୟମ, ଲୋକମାନଙ୍କର ଭଲ, ମନ୍ଦ ଆଦି ସବୁ କଥାକୁ ତନ୍ନତନ୍ନ କରି ପରଖିବା ପରେ କାର୍ଯ୍ୟ ହୋଇଥାଏ । ତେଣୁ କୌଣସି ଖବର ପ୍ରକାଶ କିମ୍ବା ପ୍ରସାର କରିବା ପୂର୍ବରୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ମତାମତ ନେଇ ଖବର ପ୍ରକାଶ କଲେ, ତାହା ଏକ ପାଖିଆନ ହୋଇ ବାସ୍ତବ ଓ ଲୋକମାନଙ୍କର ବିଶ୍ୱସ୍ତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ।
ସାମ୍ବାଦିକତା ଏକ ସ୍ୱାଧିନ ବୃତି ଏବଂ ଏଥିରେ ଆଗ୍ରହ ରଖିଥିବା ବ୍ୟକ୍ତି ବେଶ ଆତ୍ମସନ୍ତୋଷ ପାଇଥାଏ । ସାମ୍ବାଦିକତା କେବଳ ପେଶା ନୁହେଁ, ନିଶା ମଧ୍ୟ । ବିଗତ ୨୦ ବର୍ଷ ମଧ୍ୟରେ କେବଳ ଓଡିଶା ନୁହେଁ, ସମଗ୍ର ଦେଶରେ ସାମ୍ବାଦିକତାର କ୍ରମବିବର୍ତନ ଘଟିଛି । ବିଶେଷକରି ମହିଳା ସାମ୍ବାଦିକଙ୍କ ଅଗ୍ରଗତି ଘଟିଛି । ସାମ୍ବାଦିକତାର ବିଭିନ୍ନ ଦିଗରେ ନିଜେ ନିଜକୁ ପ୍ରତିଷ୍ଠା କରିପାରିଛନ୍ତି । ଓଡିଶାରେ ଇଲେକ୍ଟ୍ରୋନିକ୍ସ ମିଡିଆର ବିକାଶ ଏବଂ ପ୍ରଭାବକୁ ବିଭିନ୍ନ ଘଟଣାବଳୀ ସହିତ ମନେପକାଇ ଭାବ ବିହ୍ୱଳ ହୋଇପଡିଥିଲେ ମାନନୀୟା ମେୟର । କେବଳ ସମାଲୋଚନା ନୁହେଁ, ଗଠନମୂଳକ ସମ୍ବାଦ ପରିବେଷଣ କରି ସମାଜର ଉନ୍ନତିସାଧାନ ଦିଗରେ ସାମ୍ବାଦିକମାନେ ବ୍ରତୀ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।
ଆୟୋଜିତ ସଭାରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ବହୁ ବରିଷ୍ଠ ଓ କନିଷ୍ଠ ପ୍ରତିନିଧି, ଫଟୋ ସାମ୍ବାଦିକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶନୀ ଜେନା, ଗୀତାଞ୍ଜଳି ସାହୁ, ଭାରତୀ ସିଂ, ଲକ୍ଷ୍ମୀପି୍ରୟା ପରିଡା, ମୋନାଲିସା ବେହେରା, ଇତିଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜାତୀୟ ଗଣମାଧ୍ୟମ ଦିବସ ଅବସରରେ ମେୟର ସାମ୍ବାଦିକଙ୍କୁ ପୁଷ୍ପ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା