ଟାଟା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ

ହିନ୍ଦୋଳ, ୧୬ ନଭେମ୍ବର : ଢେଙ୍କାନାଳ ଜିଲ୍ଲାର ଟାଟା ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଓଡାପଡା ବ୍ଲକ ମଙ୍ଗଳପୁର ଗ୍ରାମରେ ଏକ ବହୁମୁଖୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟତଃ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉଚ୍ଚ ରକ୍ତଚାପ, ମଧୁମେହ ଓ ମୋତିଆବିନ୍ଦୁ ସ୍କ୍ରିନିଂ ଇତ୍ୟାଦି ପରୀକ୍ଷା କରାଯାଇ ମାଗଣା ଔଷଧ ବିତରଣ କରାଯାଇଥିଲା । ଯେଉଁମାନଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ସେମାନଙ୍କର ଅସ୍ତ୍ରୋପଚାର ଓ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ଓ ଅନୁଗୋଳ କମ୍ପାନୀ ପକ୍ଷରୁ ପଠାଯିବା ସହ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି ଶିବିରରେ ଡାକ୍ତର, ଚକ୍ଷୁରୋଗ ବିଶେଷଜ୍ଞ, ନର୍ସ, ସ୍ୱାସ୍ଥ୍ୟ ସହାୟକ, ଫାର୍ମାସିଷ୍ଟ, ଲ୍ୟାବ ଟେକ୍ନିସିଆନ, ଚକ୍ଷୁ ରୋଗ ସହାୟକମାନେ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ଅବସରରେ ଟିଏସ୍ଏଫ୍ ପକ୍ଷରୁ ଜଣେ ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଶେଷଜ୍ଞଙ୍କ ଦ୍ୱାରା ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ହୋଇଥିବା ଏହିପରି ଜନହିତକର କାର୍ଯ୍ୟ ପାଇଁ ଜନସାଧାରଣ ଉଚ୍ଚପ୍ରଶଂସା କରିବା ସହ କମ୍ପାନୀ ଓ କର୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା