ଜଲିଗଲା ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ସରକାରୀ ସହାୟତା ଲୋଡୁଛନ୍ତି ପରିବାର ଲୋକ…

ଖଲ୍ଲିକୋଟ, ୧୬ ନଭେମ୍ବର : ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ଜଳିଗଲା ୩ ବଖରା ଘର ସାଙ୍ଗକୁ ଝିଅ ବାହାଘର ପାଇଁ ସାଇତା ସ୍ବପ୍ନ । ଖଲ୍ଲିକୋଟ ବ୍ଲକ କମଳାପଦର ଗାଁର ସ୍ବର୍ଗତ ଦେବ ପାହାନଙ୍କ ଘରେ ନିଆଁ ଲାଗିଥିବା ଜଣାପଡିଛି l ଘରେ ନିଆଁ ଲାଗି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଝିଅ ବିବାହକୁ ଅଳ୍ପ କିଛି ଦିନ ବାକି ଥିବାବେଳେ କିପରି ଝିଅକୁ ଶାଶୁ ଘରକୁ ପଠାଇବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ଦେବଙ୍କ ଘରର ସମସ୍ତ ସଦସ୍ୟ ଧାନ କାଟିବା ପାଇଁ ବିଲକୁ ଯାଇଥିବା ସମୟରେ ଘର ଭିତରେ ନିଆଁ ଜଳିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସାହି ପଡୋଶୀ ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗକୁ ଫୋନ କରି ବିଦ୍ୟୁତ ବିଛିନ୍ନ କରିବା ସହ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ l ପରେ ଦମକଳ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିଲା l
ଅଗ୍ନିକାଣ୍ଡ ଏତେ ଭୟଙ୍କର ଏବଂ କ୍ଷିପ୍ର ଥିଲା ଯେ ସଙ୍ଗେ ସଙ୍ଗେ ଘରର ଶେଷ ମୁଣ୍ଡରେ ଥିବା ରୋଷେଇ ଘର ସମେତ ୩ ବଖରା ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡରେ ୩ ବଖରା ଘର, ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଶଁ ହୋଇଯାଇଥିଲା । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ତେବେ ଦେବଙ୍କ ପରିବାରକୁ ସରକାର ସହାୟତା ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି l
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ