ନଭେମ୍ବର ୧୮ରୁ ଆରମ୍ଭ ହେବ ରାଗୋତ୍ସବ ୨୦୨୩…

ଭୁବନେଶ୍ୱର, ୧୫ ନଭେମ୍ବର : ଆସନ୍ତା ନଭେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ଧାର୍ଯ୍ୟ ରାଗୋତ୍ସବରେ କିଛି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆଣିବା ପାଇଁ ଜେଏସଡବ୍ଲୁ ଫାଉଣ୍ଡେସନ ଏବଂ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ହାତ ମିଳାଇଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ ରେ ଆରମ୍ଭ ହେବ । ଭାରତର ଛଅଟି ବିଭିନ୍ନ ସହରରୁ ଆସୁଥିବା କଳାକାରମାନଙ୍କ ଦ୍ୱାରା ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଉପସ୍ଥାପନା ରହିବ । ପ୍ରତ୍ୟେକ ଦିନର ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ।
୧୯୬୩ ମସିହାରେ ପ୍ରତିଷ୍ଠିତ, ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ, ଭୁବନେଶ୍ୱର ଏବଂ ନିକଟବର୍ତୀ ଅଂଚଳରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରିଆସୁଅଛି । ସମ୍ପ୍ରତି ଏହାର ପାଖାପାଖୁ ୫୦୦ ଜଣ ଆଜୀବନ ସଦସ୍ୟ ଅଛନ୍ତି । ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ ପ୍ରତି ମାସରେ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ସେଥୁମଧ୍ୟରୁ ତିନି-ଦିନିଆ ପର୍ବ ଦୁଇଟି । ବାର୍ଷିକ ସଂଗୀତ ମହୋତ୍ସବ “ରାଗୋତ୍ସବ” ସାଧାରଣତଃ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ । ଏଥରେ ହିନ୍ଦୁସ୍ତାନୀ, କର୍ଣ୍ଣାଟିକ୍ ଏବଂ ଓଡ଼ିଶୀ ଧାରାର ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଉପସ୍ଥାପନ ହୋଇଥାଏ । ଫେବୃଆରୀରେ ଆୟୋଜିତ ହେଉଥିବା ମହୋତ୍ସବ ଏକ ସୁଫିଆନା ଏବଂ ଭକ୍ତି ସଂଗୀତ ମହୋତ୍ସବ ।
୧୯୮୯ ରେ ପ୍ରତିଷ୍ଠିତ, ଜେଏସଡବ୍ଲୁ ଫାଉଣ୍ଡେସନ୍, ଜେଏସଡବ୍ଲୁ ଗୋଷ୍ଠୀର ସାମାଜିକ ବିକାଶ ବାହୁ ଅଟେ । ଜେଏସଡବ୍ଲୁ ଫାଉଣ୍ଡେସନ୍ ମୁଖ୍ୟତଃ ଏହାର କାରଖାନା ଗୁଡିକର ଚାରିପାଖରେ ଅବସ୍ଥିତ ସମ୍ପ୍ରଦାୟକୁ ସମର୍ଥନ ଏବଂ ସଶକ୍ତିକରଣ ପାଇଁ ସଚେତନ ପଦକ୍ଷେପ ଗ୍ରହଣ କରେ । ୧୧ ଟି ରାଜ୍ୟ ଏବଂ ୧୫ ଟି ଜିଲ୍ଲାରେ ଏହାର ପାଦଚିହ୍ନ ରହିଛି । ଏହାର ପଦକ୍ଷେପ ଗୁଡିକ ୧୦ ଲକ୍ଷ ବ୍ୟକ୍ତିଙ୍କ ନିକଟରେ ପହଁଚିଛି । ଏହାର ଅନେକ ପଦକ୍ଷେପ ମଧ୍ୟରେ ଜାତୀୟ ଐତିହ୍ୟର ସଂରକ୍ଷଣ ରହିଛି, ଯେଉଁଥରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଅନ୍ତର୍ଭୁକ୍ତ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ