ଶ୍ରୀମନ୍ଦିର ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ…

ପୁରୀ, ୧୪ ନଭେମ୍ବର : ଶ୍ରୀମନ୍ଦିର ପାଇଁ ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ପାନ, ଗୁଟଖାକୁ ବ୍ୟାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ବରାହ ପୁରାଣ ଆଧାରରେ କଟକଣା ଲଗାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ ଦାସ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ଡ୍ରେସ୍ କୋର୍ଡ ଭଳି ପାନ, ଗୁଟଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏ ନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି ।
କେବଳ ଭକ୍ତ ନୁହେଁ ମନ୍ଦିରକୁ ପ୍ରବେଶ କରୁଥିବା ପୂଜକ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ୍ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ନିୟମକୁ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ।
ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ତେବେ ମନ୍ଦିର ପରିସରରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରାଯିବା ସହ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।