ମୁକୁଳା ପାଦ ଦେଖାଇଛି ସଫଳତାର ପଥ…

ସାଲେପୁର : ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଘ ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦମୟନ୍ତୀ ଜେନା । ଏହା ସହ ସେ ନ୍ୟାସନାଲ ଲେବୁଲରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ମଧ୍ୟ ହୋଇଛନ୍ତି । ଯାହାକୁ ନେଇ ଗର୍ବିତ ହୋଇଛନ୍ତି ଗ୍ରାମବାସୀ ।

ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ହିଁ କଠିନ କାର୍ଯ୍ୟକୁ ସରଳ କରିବା ସହିତ ସଫଳତା ପ୍ରଦାନ କରିଥାଏ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ଦମୟନ୍ତୀ ଜେନା । ବୟସ ମାତ୍ର ୧୪ ବର୍ଷ । କିନ୍ତୁ ନିଜର ଅକ୍ଲାନ୍ତ ପରିଶ୍ରମଦ୍ବାରା ଖାଲି ପାଦରେ ଦୌଡ଼ି ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ସେ । ଲଳିତଗିରି ସ୍କୁଲରେ ପଢୁଥିବା ଦମୟନ୍ତୀ ଏହାର ସମସ୍ତ ଶ୍ରେୟ ନିଜର ଖେଳ ଶିକ୍ଷକ ଲେନିନ ମହାନ୍ତି, ମାନସ ସାର୍,ବାପା-ମା ଓ ଗ୍ରାମର ସମସ୍ତ ଗୁରୁଜନମାନଙ୍କୁ ଦେଇଛନ୍ତି । ବିଜୟୀ ହୋଇ ନିଜ ଘରକୁ ଫେରିବା ପରେ ଲଳିତଗିରି ଗ୍ରାମବାସୀଙ୍କ ତରଫରୁ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସିଂ, ବ୍ଲକ ଯୁବ ବିଜେଡି ଉପସଭାପତି ହରପ୍ରତାପ ନାୟକ, ସରପଞ୍ଚ ବଳରାମ ବେହେରା, ଯୁବନେତା ରତ୍ନାକର ବିଶ୍ଵାଳ, ୱାର୍ଡ ସଭ୍ୟା ଡଲି ବେହେରା, କନକଲତା ସିଂ, ଅଜୟ ପ୍ରସାଦ ସିଂ, ସୁଶାନ୍ତ ସିଂ, ଅଶୋକ ବେହେରାଙ୍କ ସମେତ ପଞ୍ଚାୟତର ସମସ୍ତ ଯୁବପିଢ଼ି ଓ ମହିଳାମାନେ ଦମୟନ୍ତୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଗ୍ରାମ ପରିକ୍ରମା କରାଇଥିଲେ ।
ଭଲ ଖେଳ ପାଇଁ ଉନ୍ନତମାନର ପ୍ରଶିକ୍ଷଣ ଶିବିର ସହିତ ଡ୍ରେସ୍, ଜୋତା, ପୃଷ୍ଟିକର ଖାଦ୍ୟ ଏବଂ ଖେଳର ଆନୁସଙ୍ଗିକ ସାମଗ୍ରୀର ଆବଶ୍ୟକତା ରହିଥାଏ । କିନ୍ତୁ ଦମୟନ୍ତୀଙ୍କ ବାପା ପ୍ରଶାନ୍ତ ଜେନା ଓ ମା ଶିଲି ଜେନା ଏହା ଦେବାରେ ଅସମର୍ଥ । କାରଣ ଦମୟନ୍ତୀ ଏକ ଗରିବ ପରିବାରର ଝିଅ । ଯେଉଁଠାରେ ଦୁଇବେଳା ଭଲ ଖାଇବା କଷ୍ଟକର ସେଠି ଷ୍ଟିକର ଖାଦ୍ୟ କେଉଁଠୁ ବା ମିଳିବ । ଯେଉଁଠି ଘର ଝାଟି ମାଟି କୁଡିଆରେ ପ୍ରସ୍ତୁତ ସେଠାରେ ଭଲ ଡ୍ରେସ୍ କିମ୍ବା ଜୋତା କେଉଁଠୁ ମିଳିବ । କିନ୍ତୁ କଠିନ ପରିଶ୍ରମ କରି ପାଠ ପଢିବା ସହିତ ପ୍ରତିଦିନ ଗାଁ ଖେଳ ପଡ଼ିଆରେ ଖାଲି ପାଦରେ ଦୌଡିବା କାର୍ଯ୍ୟ ଜାରି ରଖିଥିଲେ ଦମୟନ୍ତୀ । ଯାହାର ଫଳ ସେ ଆଜି ପାଇଛନ୍ତି, ନ୍ୟାସନାଲ ଲେବୁଲରେ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇ। ଦମୟନ୍ତୀଙ୍କ ଉତ୍ତୋରତ୍ତୋର ଉନ୍ନତି ନିମନ୍ତେ ସରକାର ଓ ପ୍ରଶାସନର ସାହାଯ୍ୟ ଲୋଡିଛନ୍ତି ଦମୟନ୍ତୀ ଏବଂ ତାଙ୍କ ପରିବାର ଲୋକ । ଏପରିକି ଆଗାମୀ ଦିନରେ ଦମୟନ୍ତୀ ଭଲ ଖେଳି ନିଜ ଅଞ୍ଚଳ ତଥା ରାଜ୍ୟ ଏବଂ ଦେଶର ନାମ ରଖିବ ବୋଲି ଆଶାବଦୀ ରହିଛନ୍ତି ଗ୍ରାମବାସୀ ।
ରିପୋର୍ଟ : କଟକ ଜିଲ୍ଲା ସାଲେପୁରରୁ ଅଭୟ ଜେନା