ପ୍ରଶାସନର ସହାୟତା ରହିଲେ ବଞ୍ଚି ରହିବ କୂଳବେଉସା…

ଢେଙ୍କାନାଳ : ଆଲୋକର ପର୍ବ ଦୀପାବଳି ପାଇଁ ଚଳଚଞ୍ଚଳ ଗାଁଠୁ ସହର । କୁମ୍ଭକାରମାନେ ଦି ପଇସା ରୋଜଗାର କରିବା ଆଶାରେ ନିଜର କୌଳିକ ବୃତ୍ତିକୁ ଆପଣାଇ ଦୀପ ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ବଢ଼ିବାରେ ଲାଗିଛି ଦୀପର ଚାହିଦା । ଘରେ ଘରେ ପୁରୁଷ ଏବଂ ମହିଳାମାନେ ଲାଗି ପଡିଛନ୍ତି ଦୀପ ପ୍ରସ୍ତୁତ କରିବାରେ । ହିନ୍ଦୋଳରେ କିଛି କୁମ୍ଭକାର ସମ୍ପ୍ରଦାୟର ଲୋକେ ନିଜର କୌଳିକ ବୃତ୍ତିକୁ ଛାଡ଼ିବାରେ ଲାଗିପଡ଼ିଥିବା ବେଳେ ଆଉ କିଛି ବୟସ୍କ ଲୋକ ନିଜର କୂଳ ବେଉସାକୁ ଜାବୁଡ଼ି ଧରିଛନ୍ତି । ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ ଦୀପ । କିନ୍ତୁ ଦୀପାବଳି ଆସିଲେ ଦୀପର ଚାହିଦା ଦ୍ଵିଗୁଣିତ ହୋଇଥାଏ । ସେଥିପାଇଁ ଏକମାସ ପୂର୍ବରୁ ଦୀପ ତିଆରି କରିବାରେ ଲାଗିପଡନ୍ତି କାରିଗର । ଚଳିତ ବର୍ଷ ଦୀପାବଳିରେ ବେଶ୍ ଭଲ ଦୁଇପଇସା ରୋଜଗାର ଆଶାରେ ନିଜର କୌଳିକ ବୃତ୍ତିରେ ଲାଗିପଡିଛନ୍ତି କୁମ୍ଭକାର ପରିବାରର ସଦସ୍ୟ । କେବଳ ହିନ୍ଦୋଳ ନୁହେଁ ଆଖପାଖ ଅଞ୍ଚଳ ତଥା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଦୀପ ନେବାପାଇଁ ଆସନ୍ତି ବ୍ୟବସାୟୀ ।
ଚକଚକିଆ ରଙ୍ଗିନ ଲୁଚି ଲାଇଟ୍ ସାଙ୍ଗକୁ ଭଳିକି ଭଳି ଚାଇନା ଲାଇଟର ସମ୍ଭାରରେ ହଜିଯାଉଛି ଆମର ପାରମ୍ପରିକ ପଦାର୍ଥର ଚାହିଦା । ତେବେ ସ୍ବଦେଶୀର ବାର୍ତ୍ତା ପରେ ଲୋକେ ନିଜେ ସଚେତନ ହୋଇ ପାରମ୍ପରିକ ଦୀପ କିଣିବାକୁ ପ୍ରସ୍ତୁତ ହେଉଥିବାବେଳେ ମାଟିର ଅଭାବ ସାଙ୍ଗକୁ ଜାଳେଣି କାଠର ଅଭାବ ପାଇଁ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୁମ୍ଭକାରମାନେ । ଅପରପକ୍ଷେ ବଜାରରେ ବଢ଼ିବାରେ ଲାଗିଥିବା କଲିକତି ଦୀପ କୁମ୍ଭକାରମାନଙ୍କର ବୃତ୍ତିକୁ ପ୍ରାୟ ବିଲୁପ୍ତ କରିବାରେ ଲାଗିଛି । ପ୍ରଶାସନ ତରଫରୁ ଯଦି ସେମାନଙ୍କୁ କିଛି ସାହାଯ୍ୟ ସହଯୋଗ କରାଯାଏ ତେବେ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ପାରିବେ ବୋଲି ଦାବି କରିଛନ୍ତି କୁମ୍ଭକାରମାନେ ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ କୁମାର ବେହେରା