ଏସ୍ଏଚଜି ମହିଳାଙ୍କ ଅଭିଜ୍ଞତାକୁ ନେଇ ପ୍ରଶ୍ନ !

କୋରାପୁଟ : ଗଣମାଧ୍ୟମର ଚତୁର୍ଥସ୍ତମ୍ଭ ଭାବେ ତଥା ଜନତାଙ୍କ ସ୍ବାର୍ଥ ଏବଂ ପୁରାତନ ଐତିହ୍ୟର ପୁନରୁଦ୍ଧାର ନିମନ୍ତେ ଆମେ ଐତିହାସିକ ଦମୟନ୍ତୀ ସାଗର ଏବଂ ଦେବନା ମୁଣ୍ଡା ପୁନରୁଦ୍ଧାର ପ୍ରସଙ୍ଗ ବାବଦରେ ଖବର ପ୍ରସାରଣ କରିଥିଲୁ । ପ୍ରଶାସନିକସ୍ତରରେ ଅବହେଳା ତଥା ରାଜନୈତିକସ୍ତରରେ ଆନ୍ତରିକତାର ଅଭାବ ବିଷୟରେ ବାରମ୍ବାର ଖବର ପ୍ରସାରଣ କରି ଆମେ ଐତିହ୍ୟର ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲୁ । ଯାହାର ଫଳସ୍ୱରୂପ ଦମୟନ୍ତୀ ସାଗର ଏବଂ ଦେବନମୁଣ୍ଡା ପୋଖରୀର କାୟାକଳ୍ପ ପରିବର୍ତ୍ତନ ହେବାକୁ ଯାଉଛି ।

ଏହାର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାରଙ୍କଠାରୁ ସବୁଜ ସଂକେତ ମିଳିଛି । ଦମୟନ୍ତୀ ସାଗର ପାଇଁ ୧୬ କୋଟି ୭୨ ଲକ୍ଷ ୫୬ ହଜାର ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଦେବନମୁଣ୍ଡା ପୁନରୁଦ୍ଧାର ପାଇଁ ୨ କୋଟି ୫୭ ଲକ୍ଷ ୭୪ ହଜାର ୩୦୦ ଟଙ୍କା ଅର୍ଥ ମଞ୍ଜୁର ହୋଇଛି । ଏହା ସହ ରାଜ୍ୟ ସରକାର ମାଆମାନଙ୍କ ପାଇଁ ମଧ୍ୟ ଉପହାର ସ୍ବରୂପ ଏହି କାର୍ଯ୍ୟ ନିମନ୍ତେ କୋଟପାଡ଼ର ୧୦୬ ଟି ଏସ୍ଏଚଜି ଗ୍ରୁପକୁ ନିୟୋଜିତ କରିଛନ୍ତି ।
ଏ ନେଇ କୋଟପାଡ ବେଲମା ସାହିସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସହରର ସମସ୍ତ ଏସ୍ଏଚଜି ଗ୍ରୁପଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜ୍ଞାପନ ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, କୋଟପାଡ ନିର୍ବାଚନୀ ମଣ୍ଡଳୀ ପର୍ଯ୍ୟବେକ୍ଷକ ସୂର୍ଯ୍ୟ ନାରାୟଣ ରଥ ଏବଂ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ 5t ଅଧ୍ୟକ୍ଷ ଭି କେ ପାଣ୍ଡିୟାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଅପରପକ୍ଷେ ଅନୁଭିଜ୍ଞ ଏସ୍ଏଚଜି ଗ୍ରୁପ ଦ୍ୱାରା କିଭଳି ଉଦ୍ଧାର କାର୍ଯ୍ୟ ସମ୍ପାଦିତ ହେବ ଏ ନେଇ ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଟେକ୍ନିକାଲ ସହଯୋଗ ଏସ୍ଏଚଜି ମହିଳାଙ୍କୁ କାହାଦ୍ବାରା ପ୍ରାପ୍ତ ହେବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦେଖିବାକୁ ବାକି ରହିଲା ଜନତାଙ୍କ ବହୁଦିନର ଦାବି, କୋଟପାଡ଼ର ଗଙ୍ଗାକୁ ସରକାର କିଭଳି କାୟାକଳ୍ପ ପ୍ରଦାନ କରୁଛନ୍ତି । ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ