ମୃତ୍ୟୁ ପରେ ଅମର ରହିଲେ ମହିଳା ।

ଭୁବନେଶ୍ବର : ମୃତ୍ୟୁ ପରେ ଅମର ରହିଲେ ମହିଳା । ମୃତ୍ୟୁ ପରେ ସେ ନିଜର କିଡନୀ, ଲିଭର ଏବଂ ଯକୃତ ଦାନ କରି ପ୍ରାୟ ୭ ଜଣଙ୍କ ଜୀବନ ବଞ୍ଚାଇଛନ୍ତି । ‘ଆମ୍ରି’ ହସ୍ପିଟାଲରେ ରାଜ୍ୟରେ ଦ୍ବିତୀୟଥର ଲାଗି ଜଣେ ବ୍ୟକ୍ତିଙ୍କଠାରୁ ଏକାଧିକ ଅଙ୍ଗକୁ ସଫଳତାର ସହ ଅସ୍ତ୍ରୋପଚାର କରାଯାଇଛି ।
ସୂଚନା ଅନୁସାରେ, ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା କ୍ରିଷ୍ଣା ପଣ୍ଡା ସ୍କୁଟିରେ ଯିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିଲା । ଏହାପରେ ତାଙ୍କୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨ ତାରିଖରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ ।
ଅଙ୍ଗଦାନ ନେଇ ପରିବାର ଲୋକଙ୍କ ନିଷ୍ପତ୍ତି ପରେ ମେଡ଼ିକାଲ୍ କର୍ତ୍ତୃପକ୍ଷ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନର ଅନୁମତି ନେଇଥିଲେ । ଅନୁମତି ମିଳିବା ପରେ ଆମ୍ରି ହସ୍ପିଟାଲରେ ତାଙ୍କର ଯକୃତ, ଫୁସଫୁସ, ହୃଦୟ, କିଡ଼ନୀ ବାହାର କରାଯାଇଥିଲା । ଏସବୁ ଅଙ୍ଗକୁ ଚେନ୍ନାଇ ଏମ୍ଜିଏମ୍ ଓ ଆପୋଲୋ, କୋଲକାତାର ଆପୋଲୋ ହସ୍ପିଟାଲ, ସମ ଅଲ୍ଟିମେଟମ୍ ଓ ଏସସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଛି । ଏହି ଅଙ୍ଗଦାନ ଦ୍ୱାରା ପ୍ରାୟ ୭ ଜଣ ରୋଗୀ ନୂଆ ଜୀବନ ପାଇବେ ବୋଲି ଆମ୍ରି ମେଡ଼ିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ