ପାହାଡ ଖାଇଗଲେଣି ମାଫିଆ । ସବୁ ଜାଣି ଅଜଣା ଚାଉଳର ଭାତ ଖାଉଛି ପ୍ରଶାସନ…

ଓଡାପଡା : ପ୍ରାକୃତିକ ପରିବେଶ ସୃଷ୍ଟି କରିବାର କ୍ଷମତା ଆମ ପାଖରେ ନାହିଁ । ତେବେ ଏହାକୁ ଧ୍ୱସଂ କରିବାର କ୍ଷମତା କିଏ ଦେଲା । ଏ ପ୍ରଶ୍ନ କେବଳ ଗଣମାଧ୍ୟମର ନୁହେଁ । ଏ ପ୍ରଶ୍ନ ଜନସାଧାରଣଙ୍କର ମଧ୍ୟ । ଏ ଦୃଶ୍ୟ କହୁଛି ଏହା କୌଣସି ଖଣି ଖାଦନର ଦୃଶ୍ୟ । କିନ୍ତୁ ପ୍ରକୃତରେ ଏ ଦୃଶ୍ୟ ହେଉଛି ଗୋଟିଏ ପାହାଡର । ବିଶ୍ୱାସ ହେଉ ନଥିଲେ ବି ଏହା ସତ । ଆଜି ଏ ପାହାଡ ଚିତ୍କାର କରି କହୁଛି ଯେ ମୋର ଭୁଲ କଣ ଥିଲା । ଏ ଅରଣ୍ୟ ଗୁମୁରି ଗୁମୁରି କାନ୍ଦି ତାର ଦୁଃଖ ବଖାଣୁଛି । ହେଲେ ଏମାନଙ୍କ ଆର୍ତଚିତ୍କାର କାହାକୁ ଶୁଣାଯାଉନାହିଁ । କୋଟି କୋଟି ଟଙ୍କାର ଅର୍ଥ ଲାଳସା ସମସ୍ତଙ୍କୁ ମୁକ ବଧିର ସଜାଇ ଦେଇଛି । ଜୈବ ବିବିଧତାରେ ପରିପୂର୍ଣ୍ଣ ଏ ଅଚଂଳ ଏବେ ମରୁଭୂମିରେ ପରିଣତ ହୋଇଛି । ଧରିତ୍ରୀ ମାଆର ଗର୍ଭ ଚିରି ତାର ସମ୍ପଦକୁ ବିକ୍ରି କରିବାରେ ଲାଗିଛନ୍ତି ଅର୍ଥପିପାସୁ ରାକ୍ଷାସ ।
ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା ଓଡାପଡା ତହସିଲି ଅନ୍ତର୍ଗତ ଓଡାପଡା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଦକ୍ଷିଣପାର୍ଶ୍ଵ ପାହାଡ଼ । ଯେଉଁଠୁ ଦିବା ଆଲୋକରେ ବିକ୍ରି ହେଉଛି ହଜାର ହଜାର ଟ୍ରିପିର ମାଟି, ଆଉ ବଳି ପଡିଯାଉଛି ଅନେକ ମୂଲ୍ୟବାନ ଗଛ । କୋଟି କୋଟି ଟଙ୍କାର ସରକାରୀ ରାଜସ୍ବହାନୀ ହେଉଛି । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ଏ ବାବଦରେ ଓଡାପଡା ତହସିଲଦାରଙ୍କ ପାଖରେ ନା ରହିଛି ସୂଚନା ନା ଜଙ୍ଗଲ ବିଭାଗ ପାଖରେ ଅଛି କିଛି ଖବର ।
ଓଡାପଡା ତହସିଲଦାରଙ୍କୁ ଆମର ପ୍ରଥମ ପ୍ରଶ୍ନ । ”ସାର୍, ଓଡାପଡା ତହସିଲି କାର୍ଯ୍ୟଳୟଠାରୁ ମାତ୍ର କିଛି ଶହ ମିଟର ପରିଧି ଭିତରେ ଥିବା ଓଡାପଡା ପଂଚାୟତ ସମିତି ମହାବିଦ୍ୟାଳୟର ଦକ୍ଷିଣ ପାର୍ଶ୍ୱର ଓଡାପଡା ଗ୍ରାମ୍ୟ ଜଙ୍ଗଲକୁ କିଏ କାଟି ପ୍ରାକୃତିକ ପରିବେଶକୁ ନଷ୍ଟ କରୁଛି ? ବେଆଇନ୍ ଭାବେ ହଜାର ହଜାର ଟ୍ରିପିର ମାଟି ଚୋରି କରୁଛି କିଏ ? ସେ ବାବଦରେ ଆପଣଙ୍କ ପାଖରେ କିଛି ତଥ୍ୟ ନାହିଁ କେମିତି ? ନା ଜାଣି ନ ଜାଣିଲା ପରି ବାହାନା କରୁଛନ୍ତି” ।
ସୂଚନା ଥାଉ କି ଗତ ନଭେମ୍ବର ଏକ ତାରିଖ ଶୁକ୍ରବାର ଦିନ ଓଡାପଡା ଗ୍ରାମ୍ୟ ଜଙ୍ଗଲରୁ କିଛି ମାଫିଆଙ୍କ ବଡ଼ ବଡ଼ ମେସିନି ଓ ଭାରିଯାନ ସାହାଯ୍ୟରେ ବ୍ୟାପକ ପରିମାଣର ଲଘୁ ଖଣିଜ ହଡ଼ପ ବେଳର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଥିଲା । ଓଡାପଡା ତହସିଲଦାରଙ୍କଠୁ ଏ ବବାଦରେ ସୂଚନା ନେବାରୁ ଜଣାପଡିଲା ଯେ, ସାରଙ୍କ ପାଖରେ ଏ ନେଇ କୌଣସି ସୂଚନା ନାହିଁ । ତେବେ ଆମ ଭିଜୁଆଲ୍ ଆଧାରରେ ତୁରନ୍ତ ତହସିଲଦାର ମହୋଦୟ ଏ ନେଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁଇଟି ହାଇୱା ଗାଡିକୁ ଜବତ କରି ଓଡାପଡା ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ଏତେ ବଡ଼ ପାହାଡ ଏବେ ସମତୁଲ ମରୁଭୂମିରେ ପରିଣତ ହେବାକୁ ବସିଛି, ମାତ୍ର ପ୍ରଶାସନ ନିକଟରେ ଏ ନେଇ କୌଣସି ତଥ୍ୟ ନାହିଁ । ତେବେ ଦେଖିବାକୁ ବାକି ରହିଲା ଏହି ହରିଲୁଟ ପଛରେ କାହାର ହାତ ରହିଛି ।
ରିପୋର୍ଟ : ଓଡାପଡାରୁ ଗୋପବନ୍ଧୁ ବାରିକ