ରିଲିଜ ହେଲା ସ୍ବର୍ଗତ ରାଇମୋହନଙ୍କ ଶେଷ ଚଳଚ୍ଚିତ୍ର “ଓଁ ସ୍ୱାହା”ର ଅଡିଓ…

ଭୁବନେଶ୍ବର : ସିଆର୍ ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ଏଲ୍.ଟି ପ୍ରଡ଼କସନ୍ ସହଯୋଗିତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ୍. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର “ଓଁ ସ୍ୱାହା”ର ଅଡିଓ ରିଲିଜ ହୋଇଯାଇଛି । ଗୀତିକାର ଡକ୍ଟର ନିର୍ମଳ ନାୟକ ଏବଂ ହର ବାରିକଙ୍କ ରଚିତ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର । ଏଥିରେ କଣ୍ଠଦାନ କରିଛନ୍ତି ଓଲିଉଡ଼ର ନାମୀଦାମୀ କଳାକାର ହ୍ୟୁମାନ ସାଗର, ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ ଓ ରୋଜାଲିନ l ଗୀତ ଗୁଡିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ୟଙ୍ଗ କୋରିଓଗ୍ରାଫର ଲୁବୁନ ଟୁବୁନ l ନୃତ୍ୟ ନିର୍ଦ୍ଦେଶନା ସହିତ ଲାଇନ ପ୍ରଡ୍ୟୁସର ମଧ୍ୟ ରହିଛନ୍ତି ଲୁବୁନ ଟୁବୁନ । “ଓଁ ସ୍ୱାହା”ର କାହାଣୀ ବିଜୟ ଦ୍ବିବେଦୀ ଏବଂ ସଂଳାପ ଲେଖକ ହର ବାରିକ ଲେଖିଛନ୍ତି l

ଏଥିରେ ଅଭିନେତା ଜ୍ୟୋତି, ନାୟିକା ଦିବ୍ୟା, ସସ୍ମିତାଙ୍କ ସମେତ ସ୍ବର୍ଗତ ରାଇମୋହନ ପରିଡା, ପ୍ରତିଭା ପଣ୍ଡା, ମମତା ଅପା, ସରୋଜ ଦାସ, ଶୈଳେନ୍ଦ୍ର, ଚିନ୍ତାମଣି, କେ.କେ, ଡିସ୍କୋ ରେଡ୍ଡୀ, କାଳିଆ ଭାଇ, ଜୀବନ ପଣ୍ଡା, ବାବୁ ପ୍ରଧାନ ଏବଂ ଅସିତ ପତିଙ୍କ ଅଭିନୟର ଝଲକ ଦେଖିବେ ଦର୍ଶକ l ସ୍ବର୍ଗତ ରାଇମୋହନ ପରିଡାଙ୍କର ଅଭିନୀତ “ଓଁ ସ୍ୱାହା” ହେଉଛି ତାଙ୍କର ଶେଷ ଚଳଚ୍ଚିତ୍ର । ତାଙ୍କ ମୃତ୍ୟୁ ପରେ ଆଉ ଶୁଭିନଥିଲା ତାଙ୍କର ସେ ଗାମ୍ଭୀର୍ଯ୍ୟ ସଂଳାପ l ଯେଉଁ ଦର୍ଶକମାନେ ତାଙ୍କ ଅଭିନୟକୁ ଭଲ ପାଆନ୍ତି ସେମାନେ ନିଶ୍ଚିତ ଭାବେ ପ୍ରେକ୍ଷାଳୟକୁ ଆସିବେ ବୋଲି ନିବେଦନ କରିଛନ୍ତି ସମସ୍ତ କଳାକାର ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ