ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ…

ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତକାଲି ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି । ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା । ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଛାଡ଼ିଥିଲା । କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନଟି ଛିଡ଼ା ହୋଇଥିଲା । ଠିକ୍ ସେହି ସମୟରେ ସେହି ଟ୍ରାକ୍ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍ ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା ।
ତେବେ ଦୁର୍ଘଟଣା କାରଣରୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇ ଅନ୍ୟ ଟ୍ରାକ୍କୁ ପଳାଇ ଯାଇଥିଲା । ସେହି ସମୟରେ ଆସୁଥିବା ମାଲ୍ବାହୀ ଗାଡି ବଗି ଦୁଇଟିକୁ ଧକ୍କା ଦେଇଥିଲା । ଫଳରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ ଇଞ୍ଜିନ୍ ଲାଇନଚ୍ୟୁତ ହୋଇଥିଲା ।
ଟ୍ରେନ୍ ଦୁର୍ଘଟଣାରେ ଅନେକ କ୍ଷୟକ୍ଷତି ଘଟିଥିହବାବେଳେ ଟ୍ରାକ୍ ଉପରେ ପଡିରହିଛି ବଗି । ଏନେଇ ଅନେକ ଟ୍ରେନକୁ ବାତିଲ୍ କରାଯାଇଥିବା ବେଳେ ଅନେକ ଟ୍ରେନର ଗତିପଥକୁ ବଦଳାଯାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମରାମତି କାମକୁ ଜୋରଦାର କରାଯାଇଛି ।
ଆଜି ଅପରାହ୍ନ ୪ଟା ସୁଦ୍ଧା ଟ୍ରାକ୍ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ଧାର କାର୍ଯ୍ୟ ପରେ ମରାମତି କାମକୁ ଜୋରଦାର କରାଯାଇଛି । ବୈଷୟିକ ଟିମ୍ ପକ୍ଷରୁ ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ କ୍ରେନ୍ ସହାୟତାରେ କୋଚ୍ ଗୁଡିକୁ ଉଠାଯାଉଛି । ପୁନରୁଦ୍ଧାର କାର୍ଯ୍ୟରେ ୮ଟି ପ୍ରୋକ୍ଲେନ୍ ମେସିନକୁ ନିୟୋଜିତ କରାଯାଇଛି । ୧୪୦ ଟନର ରେଳ କ୍ରେନ୍ ନିୟୋଜିତ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ପ୍ରାୟ ୯ଶହ ଜଣ ସାମିଲ ହୋଇଛନ୍ତି । ଏ ନେଇ ସମୀକ୍ଷା କରୁଛନ୍ତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ।