ସିପିଆଇର ହିତାଧିକାରୀ ଆଇନ…

ବେଗୁନିଆପଡା : ଆବାସଗୃହ ନିର୍ମାଣ ପାଇଁ ସରକାର ଯେତିକି ଅର୍ଥ ମଞ୍ଜୁର କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଘର ନିର୍ମାଣ ତ ଦୂରର କଥା କଞ୍ଚାମାଲ କିଣାରେ ସରିଯାଉଛି ସରକାରୀ ଅର୍ଥ । ବାସହୀନ ଲୋକଙ୍କୁ ଆବାସ ଯୋଜନାରେ ଗୃହ ଯୋଗେଇଦାବା ଲାଗି ସରକାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ମାତ୍ର କୋଦଳା ତହସିଲ ଅଂଚଳରେ ଆବଶ୍ୟକ କଞ୍ଚା ମାଲ ଯଥା ବାଲି, ମାଟି, ପଥର ଓ ଇଟାର ଘୋର ଅଭାବ ଦେଖିବାକୁ ମିଳୁଛି । ତେଣୁ ହିତାଧିକାରୀ ବାଧ୍ୟ ହୋଇ ଅନ୍ୟ ଅଂଚଳରୁ ଏହି ଜିନିଷ ଆଣୁଛନ୍ତି । ତେବେ ଏଥିପାଇଁ ରାଜସ୍ବ ବିଭାଗର ଅଧିକାରୀମାନେ ଗାଡିକୁ ଧରି ସେଥିରୁ ମାତ୍ରାଧିକ ଜରିମାନା ଆଦାୟ କରୁଛନ୍ତି । ଫଳରେ ଉକ୍ତ ଜୋରିମାନା ପରୋକ୍ଷରେ ବାହାରିଛନ୍ତି ହିତାଧିକାରୀ ।
ଏହାର ପ୍ରତିବାଦରେ ସିପିଆଇ ପକ୍ଷରୁ ଏକ ଦାବିପତ୍ର କୋଦଳା ତହସିଲଦାର ସସ୍ମିତା ଶତପଥୀଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ହିତାଧିକାରୀଙ୍କ କାର୍ଯ୍ୟାଦେଶ ନେଇ ଯାଉଥିବା ଗାଡି ଗୁଡିକୁ ଜରିମାନା କରାନଯାଉ । ଏହି ଅଂଚଳର ପୋଡା ଇଟା ଗାଡି ଗୁଡିକୁ ଧରପଗଡ଼ କରାନଯାଉ । ଯଦି ଉକ୍ତ ଦାବି ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛି ସଂଘ । ଦାବିପତ୍ର ପ୍ରଦାନ ସମୟରେ ବେଗୁନିଆପଡା ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ସିମାଞ୍ଚଳ ବେହେରା, ନାରାୟଣ ସେଠି, ଜୟ କୃଷ୍ଣ ନାହାକ, ଲକ୍ଷ୍ମଣ ସ୍ୱାଇଁ, ରାଘବ ତାରିଣୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ