ବିଜ୍ଞାନ ଏବଂ ସଭ୍ୟତା ସହିତ ସଂସ୍କୃତି, ପରମ୍ପରା ଏବଂ ସାମାଜିକ ଶୃଙ୍ଖଳା ଆଦର୍ଶ ସମାଜକୁ ଉଚିତ୍ ଶିକ୍ଷା ପ୍ରଦାନ କରେ…

ଗଜପତି : ପ୍ରଗତି ମହିଳା ସଙ୍ଗଠନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ (ଗଜପତି)ର ମିଳିତ ଆନୁକୁଲ୍ୟରେ କୁମାର ଉତ୍ସବ-୨୦୨୩ ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଶ୍ରୀ ପ୍ରତୀକ୍ଷା ପାଣିଗ୍ରାହୀଙ୍କ ସ୍ବାଗତ ସମ୍ଭାଷଣ ପରେ ପ୍ରଗତିର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଭାଗବତ ପାଢ଼ୀ ପରିଚୟ ପ୍ରଦାନ କରିବା ପରେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ପ୍ରାକ୍ ସୂଚନା ଦେବା ପରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଗଜପତି, ବିରେନ୍ଦ୍ର କୁମାର ଦାସ, ବିଶିଷ୍ଟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ମୁଖ୍ୟ ବକ୍ତା ଅଧ୍ୟକ୍ଷ ବିନୋଦିନୀ କନିଷ୍ଠ ବିଦ୍ୟାଳୟ, ପଦ୍ମପୁରର ମନୋଜ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ପ୍ରଗତିର ଉପ ସଭାପତି ଲୋକନାଥ ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇ କୁମାରତ୍ସୋବ ପାଳନର ତାତ୍ୱିକ ଆଲୋଚନା କରିଥିଲେ । ଏଥିରେ ଝୋଟି, ପୁଚି, ହୁଳହୁଳି, ତର୍କ, ମେହେନ୍ଦି, କାକରା ପ୍ରସ୍ତୁତି, ମଣ୍ଡା ପିଠା ପ୍ରସ୍ତୁତି ଆଦି ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଗୃହିଣୀ ଓ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର, ସମଲେଇ ନୃତ୍ୟ କଳା ପରିଷଦର ଛାତ୍ରୀମାନେ ଓଡ଼ିଶୀ, ସମ୍ବଲପୁରୀ ଏବଂ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା