ଜଟଣୀ ପ୍ରଶାସନ ଏବଂ ବାଲି ମାଫିଆଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା !

ଜଟଣୀ : ଲୁଚିଛି ନା ଗୋଡ ଦିଟା ଦିଶୁଛି । ଦିବା ଆଲୋକରେ ବାଲି ବେପାର, ଆଉ ରାତିରେ ତାକୁ ସଫା କର । ବାଣିଜି୍ୟକ ପେଣ୍ଠସ୍ଥଳ ଭାବେ ଜଟଣୀ ସହର ବେଶ୍ ପରିଚିତ । ହେଲେ ଏବେ ଜଟଣୀ ସହର ମାଫିଆ ସହର ଭାବରେ ଖ୍ୟାତି ଅର୍ଜନ କରିଛି । ଆଉ ଏହି ଖ୍ୟାତି ପ୍ରଦାନ କରିବାରେ ସବୁଠାରୁ ବଡ ହାତ ଜଟଣୀ ପ୍ରଶାସନର ରହିଛି । ଦିନବେଳେ ଜଟଣୀ ସହର ଭିତରେ ବଡ ବଡ ବାଲି ବୋଝେଇ ଟ୍ରକ, ଡମ୍ପର ବାରମ୍ବାର ଯାଆ ଆସ କରୁଥାଏ । ସେଥିରୁ ଅନେକଙ୍କ ପରିମିଟ୍ ସରିବା ପରେ ମଧ୍ୟ ସେମାନେ ପ୍ରଶାସନର ସଲାସୁତୁରାରେ ବାଲି ବେପାର କରୁଥିବା ନେଇ ଅଭିଯୋଗ ହେଉଛି । ଏପରିକି ଏହି ବାଲି ମାଫିଆଙ୍କ ବାଲି ରଖିବା ସ୍ଥାନ ଜଟଣୀର ବିଭିନ୍ନ ରାସ୍ତା ପାଶ୍ୱର୍ ରହିଥିବାର ନଜିର ମଧ୍ୟ ରହିଛି । ତେବେ ପ୍ରଶାସନର କୋହଳ ଚେକିଂ ତଥା ବାଲିମାଫିଆଙ୍କ ସହ ମଧୁଚନ୍ଦ୍ରକା କାରଣରୁ ଜଟଣୀ ସହର ଏବେ ଏକ ମାଫିଆ ସହରରେ ପରିଣତ ହେବାକୁ ଯାଉଛି ବୋଲି ଜଟଣୀର ଜନସାଧାରଣ ମତବ୍ୟକ୍ତ କରୁଛନ୍ତି ।
ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ବହୁମୁଖ୍ୟ କାର୍ଯ୍ୟଧାରା ପ୍ରଣୀତ ହେଉଛି । ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ମଧ୍ୟ ପ୍ରସ୍ତୁତ ହେଉଛି । ହେଲେ ଜଟଣୀ ସହରରେ ଏ ନେଇ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦିନବେଳେ ରାସ୍ତା ଉପରେ ବହୁ ବାଲି ଟ୍ରକ ଯିବାଆସିବା କାରଣରୁ ବାଲି ଉଡି ରାସ୍ତା ଉପରେ ଜମା ରହୁଛି । ଫଳରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି ଜନସାଧାରଣ । କରୋନା ସମୟରେ ଜଟଣୀ ପୌର ପରିଷଦ ପକ୍ଷରୁ ଏହି ବାଲିକୁ ସଫା କରିବା ପାଇଁ ଏକ ସଫେଇ ଗାଡି ନିୟୋଜିତ ହୋଇଥିଲା । ଯାହାକି କିଛି ଦିନର ଅନ୍ତରାଳେ ବନ୍ଦ ହୋଇଯାଇଥିଲା । ଏବେ ପୁନର୍ବାର ଏହି ଗାଡିକୁ ନିୟୋଜିତ କରାଯାଇଥିବା କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି । ଯାହାକୁ ଜଟଣୀବାସୀ ସ୍ୱାଗତ କରିଛନ୍ତି । ତେବେ ଏଠି ଆମର ପ୍ରଶ୍ନ ଯେ ଦିନବେଳେ ବାଲି ବେପାର ପାଇଁ ଅନୁମତି କିଏ ଦେଉଛି । ଆଉ ରାତିରେ ଏହାକୁ ସଫା କରିବା ପାଇଁ ପ୍ରଶାସନର ଏଭଳି ଲୋକଦେଖାଣିଆ କାରବାର କଣ ପାଇଁ । କାରଣ ଯଦି ପ୍ରଶାସନ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଥାଆନ୍ତା ତେବେ ଜଟଣୀ ପୌର ପରିଷଦର ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ଜମା ହୋଇ ରହିନଥାଆନ୍ତା ।
ଅପରପକ୍ଷେ ବେଆଇନ୍ ବାଲି ଚାଲାଣ ନେଇ ଜଟଣୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନର କୋହଳ ମନୋଭାବ ମାଫିଆଙ୍କ ସହ ପ୍ରଶାସନର ଭିତିରି ସମ୍ପର୍କକୁ ପ୍ରମାଣିତ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ରିପୋର୍ଟ : ଜଟଣୀରୁ ପ୍ରଶାନ୍ତ କୁମାର ସାହୁ