ଗଗନଯାନର ସଫଳତା ପୂର୍ବର ପରୀକ୍ଷଣ ଶେଷ…

ବ୍ୟୁରୋ ରିପୋର୍ଟ : ଆଜି ପୁଣି ଥରେ ଇତିହାସ ରଚିଛି ଇସ୍ରୋ । ସକାଳେ ପ୍ରତିକୂଳ ପାଗ ଏବଂ ବୈଷୟିକ ତ୍ରୁଟି ସତ୍ତ୍ବେ ଗଗନଯାନକୁ ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍କ୍ଷେପଣ ସଫଳ ହୋଇଛି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରିଉ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଯିବ ଏବଂ ୧୭ କିଲୋମିଟର ଉଚ୍ଚରୁ ପାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା କରାଯାଇଛି । ଏଥିନିମନ୍ତେ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ଅଧ୍ୟକ୍ଷ ।
ଗଗନଯାନ ମିଶନର ଉତକ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟର କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ବୈଷୟିକ ତ୍ରୁଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏସ୍ ସୋମନାଥ କହିଥିବା ବେଳେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନ କ୍ରିଉ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି ।
ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯାଇଛି । ଏହା ସଫଳ ହୋଇଥିବା ବେଳେ ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।