ଭକ୍ତଙ୍କ ଉପରେ ରହିଛି ମା’ ରତ୍ନେଶ୍ୱରୀଙ୍କ ଅପାର କୃପା…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଏକ ଗଡ଼ଜାତ ଅଞ୍ଚଳ ହୋଇଥିବା ବେଳେ କାହିଁ କେଉଁ ଆବାହମାନ କାଳରୁ ହିନ୍ଦୋଳ ବସଷ୍ଟାଣ୍ଡଠାରୁ ମାତ୍ର ୨ କିଲୋମିଟର ଦୂର ସବୁଜ ବନାନୀ ମଧ୍ୟରେ ପୂଜା ପାଉଛନ୍ତି ହିନ୍ଦୋଳର ଅଧିଷ୍ଠାତ୍ରୀ ଦେବୀ ମା’ ରତ୍ନେଶ୍ୱରୀ । ମା’ଙ୍କର ଅପାର କୃପା ଲାଭ କରିବାକୁ ପ୍ରତ୍ୟେକ ଦିନ ଏଠାକୁ ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କ ସୁଅ ଛୁଟେ । ଯଦି କୌଣସି ଭକ୍ତ ଶ୍ରଦ୍ଧାରେ ମା’ ରତ୍ନେଶ୍ୱରୀଙ୍କୁ ସ୍ମରଣ କରେ ତେବେ ମା’ ରତ୍ନେଶ୍ୱରୀ “ଓ..” କରନ୍ତି ବୋଲି ବିଶ୍ୱାସ କରାଯାଏ । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ରତ୍ନେଶ୍ୱରୀଙ୍କର ନବରାତ୍ର ପୂଜା ଅନୁଷ୍ଠିତ ହେଉଛି । ନ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା’ ରତ୍ନେଶ୍ୱରୀ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି ନ ଦିନ ପର୍ଯ୍ୟନ୍ତ ଶହ ଶହ ଭକ୍ତମାନେ ମା’ଙ୍କର ଦର୍ଶନ କରିବା ପାଇଁ ଏଠାକୁ ଆସନ୍ତି । ବିଭିନ୍ନ ପ୍ରକାରର ମାନସିକ ନେଇ ରାଜ୍ୟର ବିଭିନ୍ନ କୋଣରୁ ଶ୍ରଦ୍ଧାଳୁମାନେ ଏହି ପୀଠରେ ସମାଗମ ହୋଇଥାଆନ୍ତି । ନିଷ୍ଠାର ସହ ଏଠାକୁ ଆସୁଥିବା ଭକ୍ତମାନଙ୍କର ସମସ୍ତ ମାନସିକ ପୂରଣ ହୁଏ ବୋଲି ଦୃଢ଼ ବିଶ୍ବାସ ରହିଛି । ତେବେ ହିନ୍ଦୋଳ NAC ମଧ୍ୟରେ ଥିବା ଏହି ପ୍ରସିଦ୍ଧ ପୀଠ ଚତୁଃପାର୍ଶ୍ଵରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ବେଳେ ରାସ୍ତାଘାଟ ଏବଂ ସୌନ୍ଦର୍ଯ୍ୟକରଣ ଉପରେ ପ୍ରଶାସନିକ ତତ୍ପରତା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
ରିପୋର୍ଟ : ଢେଙ୍କାନାଳରୁ ସୁଜିତ୍ କୁମାର ବେହେରା