ସଙ୍ଗୀତ ହିଁ ଥିଲା ଖୋକା ଭାଇଙ୍କ ପରିଚୟ । ଲୋକଙ୍କ ହୃଦୟରେ ଘର କରିବ “ଖୋକା ଭାଇ ତମ ପାଇଁ” …

ଭୁବନେଶ୍ୱର : ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତି ନୁହନ୍ତି । ସେ ହେଉଛନ୍ତି ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’ ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ଆମମାନଙ୍କ ଭିତରେ ଜୀବିତ । ଅକ୍ଷୟ ମହାନ୍ତିଙ୍କ ସ୍ବର୍ଣ୍ଣିମ ଇତାହାସର ଯାତ୍ରାକୁ ନେଇ କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୁଡିଓର ମିଳିତ ଉଦ୍ୟମରେ ଆସୁଛି ଏକ ନିଆରା ସିନେମା “ଖୋକା ଭାଇ ତମ ପାଇଁ” ।
ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଥିଲାବେଳେ କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି । ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ । ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ ଅର୍ଥାତ ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ । କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି । ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦମାସ୍ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣାଉ ଥିଲେ ତାଙ୍କ ଗୀତ ।
କାହାଣୀର ନାୟକ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ବେଳେ ଅକ୍ଷୟ ସଙ୍ଗୀତ ଶୁଣି ନିଜକୁ ସେଥିରେ ମଗ୍ନ କରିଦେଇଛି । ନାୟକର ଜୀବନ ମଧ୍ୟ ଅକ୍ଷୟ ସଙ୍ଗୀତ ପରି ଗଡି ଚାଲିଛି ଓ ତାକୁ ପ୍ରେମ ହୋଇଯାଇଛି ହେଲେ ନାୟିକାକୁ କହିବ କେମିତି ? ତେଣୁ ସେ ନିଜକୁ ହଜାଇ ଦେଇଛି ଅକ୍ଷୟ ସଙ୍ଗୀତରେ ଓ ତାର ଉତ୍ତର ମଧ୍ୟ ପାଇଛି ସେହି ସଙ୍ଗୀତରୁ । କିନ୍ତୁ ତାପରେ ସେଇ ଅକ୍ଷୟ ସଙ୍ଗୀତ ପାଇଁ ହରେଇ ବସିଛି ନିଜ ପ୍ରେମିକାକୁ ଓ ଦୋଷ ଦେଇଛି ଖୋକା ଭାଇଙ୍କ ଗୀତକୁ ହେଲେ ପ୍ରେମିକାକୁ ଫେରିପାଇବା ପାଇଁ ମଧ୍ୟ ସେ ପୁଣି ଭରସା କରିଛି ସେହି ଅକ୍ଷୟ ସଙ୍ଗୀତକୁ ଓ ସଫଳ ମଧ୍ୟ ହୋଇଛି । ଏହି ପରି ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ନାୟକର ଆଧୁନିକ ଜୀବନରେ ପ୍ରାସଙ୍ଗିକତା ହୋଇଛି ଅକ୍ଷୟ ସଙ୍ଗୀତ ଓ ଫିଲ୍ମଟିକୁ ଅତ୍ୟନ୍ତ ରୁଚି ପୂର୍ଣ୍ଣ କରିଛି ବୋଲି କହିଛନ୍ତି କାହାଣୀର ଲେଖକ ଭରଦ୍ଵାଜ ପଣ୍ଡା ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ