ଶିଶୁ ମହୋତ୍ସବ ‘ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ..

ଗଜପତି : ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଡ଼େ ଷ୍ଟାର ହୋମ୍, ଜରାଉ, ମୋହନା, ଶ୍ରୀ ଜଗନ୍ନାଥ ନିକେତନ, ରା.ସିତାପୁର, ନିସାନ ସାଲୋମ, ଗୁମ୍ମା, ଉତ୍କଳ ବାଳାଶ୍ରମ ଓ ପ୍ରାଉଡ଼, ବି.ସୀତାପୁର ଅନୁଷ୍ଠାନର 100 ରୁ ଉର୍ଦ୍ଧ୍ବ ଶିଶୁ ଭାଗ ନେଇଥିଲେ ।

ଆୟୋଜିତ ସମାରୋହକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ସେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ପିଲାମାନେ ଜୀବନରେ ବହୁତ ଆଗକୁ ବଢ଼ନ୍ତୁ ଏବଂ ପ୍ରତିଷ୍ଠା ପାଇଁ ଜିଲ୍ଲା ଓ ରାଜ୍ୟର ନାଁ ରଖିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପ୍ରଦୀପ କୁମାର ସାମଲ ଯୋଗଦେଇ ଶିଶୁଙ୍କ ପ୍ରତିଭାକୁ ଚିହ୍ନଟ କରି ତାଙ୍କୁ ସେହି ଦିଗରେ ସମସ୍ତ ସରକାରୀ ସୁବିଧା ଯୋଗାଇଲେ ସେମାନେ ସ୍ବାବଲମ୍ବୀ ହେବା ସହ ଜିଲ୍ଲାର ମାନ ବଢ଼ାଇବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିରେନ୍ଦ୍ର କୁମାର ଦାସ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପାରଦର୍ଶିତା ଦେଖି ସେମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ ।

କାର୍ଯ୍ୟକ୍ରମର ବିଶେଷ ଆକର୍ଷଣରେ ଓଡ଼ିଆ ସିନେତାରକା ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ପିଲାଙ୍କ ସହିତ କିଛି ସମୟ ଅତିବାହିତ କରିବା ସହ ପିଲାଙ୍କ ସହ ମିଶି ଗୀତ ଗାଇ ନୃତ୍ୟ ପରିବେଷଣ କରିଥିଲେ । ତେବେ ପିଲାମାନେ ଅତି ପାଖରୁ ସିନେତାରକାଙ୍କୁ ଦେଖି ବେଶ୍ ଖୁସି ଓ ଉଲ୍ଲାସ ହୋଇଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟର ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗିଙ୍କୁ ଉତ୍ସାହିତ କରିବା ପାଇଁ କିଶୋର ନ୍ୟାୟ ବୋର୍ଡ଼ର ଅଧ୍ୟକ୍ଷ ସତ୍ୟବ୍ରତ ରଣା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ରବି ନାରାୟଣ ବେହେରା, ଉପ-ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା