ବିଶ୍ୱାସ ଓ ଆସ୍ଥାର ପ୍ରତୀକ ବାବା ‘ଉନଉନ’ଙ୍କ ସମାଧି ପୀଠ…

ସାଲେପୁର : ବିଶ୍ୱାସ ଓ ଆସ୍ଥାର ପ୍ରତୀକ ବାବା ‘ଉନଉନ’ଙ୍କ ସମାଧି ପୀଠ । ଏଠି ବାବାଙ୍କ ନିକଟରେ ବିଡି ଭୋଗ ଲାଗି ହୁଏ । କୁହାଯାଏ ବିଡି ଯେଉଁଭଳି ନିଜେ ଜଳି ଜଳି ନିଜର କ୍ଷତି କରାଇଥାଏ, ମଣିଷ ମଧ୍ୟ ସତ୍ୟ-ନ୍ୟାୟ-ଧର୍ମର କଣ୍ଟିକତ ପଥ ଆପଣାଇବା ଦରକାର । କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରାମପଂଚାୟତର ରାମକୃଷ୍ଣପୁର ଗ୍ରାମରେ ଅବସ୍ଥିତ ବାବା “ଉନଉନ”ଙ୍କ ସମାଧି ପୀଠ । ବାବା “ଉନଉନ” ହେଉଛନ୍ତି ଦକ୍ଷିଣ ଭାରତୀୟ ବାବା । ସେ ବହୁ ବର୍ଷ ଧରି ରାମକୃଷ୍ଣପୁର ଗ୍ରାମରେ ଥିବା ଏକ ମସାଣିରେ ବସବାସ କରୁଥିଲେ । ସେହି ମସାଣିରେ ମଧ୍ୟ ବାବାଙ୍କୁ ସମାଧି ଦିଆଯାଇଛି । ଏଠାରେ ଯିଏ ଯାହା ମାନସିକ କରନ୍ତି, ତାହା ପୂର୍ଣ୍ଣ ହେଲେ ବାବାଙ୍କ ପାଖରେ ବିଡି ଭୋଗ ଲଗାନ୍ତି । କଥାରେ ଅଛି ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର । ସ୍ଥାନୀୟ ବାସିନ୍ଦା ଓ ପୂଜକଙ୍କ କହିବା ଅନୁଯାୟୀ ବାବା “ଉନଉନ” ନିଜ ସାଧନାରେ ସିଦ୍ଧି ଅର୍ଜନ କରିଛନ୍ତି । ତେଣୁ ପ୍ରତିଦିନ ରାମକୃଷ୍ଣପୁର ଗ୍ରାମର ପୂଜକ ବାବାଙ୍କ ଶୟନ ଅବସ୍ଥାରେ ଥିବା ପ୍ରତିମୂର୍ତ୍ତିକୁ ସେବା କରିବା ଓ ଆଳତି କରିବା ସହିତ ବିଡି ଭୋଗ ଲଗାନ୍ତି । ବାବାଙ୍କ ଜନ୍ମ ଦିବସରେ ଏହି ପୀଠରେ ଦହିଭାତ ହୋଇଥାଏ । ପ୍ରତିଦିନ ବହୁ ମାନସିକଧାରୀ ସେମାନଙ୍କର ମନୋବାଞ୍ଚା ପୂର୍ଣ୍ଣ ପାଇଁ ବିଡି ଭୋଗ ଅର୍ପଣ କରିଥାନ୍ତି । ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ବାବା ଉନଉନଙ୍କୁ ମାନିଥାନ୍ତି ।
ରିପୋର୍ଟ : କଟକ ଜିଲ୍ଲା ସାଲେପୁରରୁ ଅଭୟ ଜେନା