ଲୁଣା ପାଣିରେ ଖେଳୁଛି ୧ କୁଇଣ୍ଟାଲର ଘଡ଼ିଆଳ, ଲୋକେ ଆତଙ୍କିତ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରୀ ବେଳାଭୂମିରେ ଉଦୟପୁର ବନବିଭାଗ ଦ୍ୱାରା ଏକ ୧୩ଫୁଟ ଲମ୍ବର ଘଡିଆଳ କୁମ୍ଭୀର ଉଦ୍ଧାର କରାଯାଇଛି । ଏହାର ଓଜନ ୧ କୁଇଣ୍ଟାଲ ହେବ ବୋଲି ଜଣାଯାଇଛି l ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ ଗୁରୁବାର ରାତିରେ ତାଳସାରି ଅଞ୍ଚଳର କିଛି ମତ୍ସ୍ୟଜୀବୀ ବଙ୍ଗୋପସାଗର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ସମୁଦ୍ରରେ ବେଢଜାଲ ବସାଇ କିଛି ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଥିବା ମୁରଲୀଚଢ ନାମକ ଏକ ଦୀପରେ ବିଶ୍ରାମ ନେବା ପାଇଁ ପଳାଇ ଆସିଥିଲେ । ମତ୍ସ୍ୟଜାବୀ କାହ୍ନୁଚରଣ ଖଟୁଆ କୁମ୍ଭୀରଟିକୁ ଦେଖି ଚିତ୍କାର କରିବାରୁ ଘଟଣା ସ୍ଥଳରେ ସହଯୋଗୀ ମତ୍ସଜୀବୀ ରବିନ୍ଦ୍ର ଗଙ୍ଗାଇ, ଧନଞ୍ଜୟ ଜେନା, ଶମ୍ଭୁନାଥ ଜେନା, ପ୍ରମୁଖ ୩୦ ଜଣ ପହଞ୍ଚି ଏକ ଦଉଡି ସାହାଯ୍ୟରେ କୁମ୍ଭୀରଟିକୁ ବାନ୍ଧି କାବୁ କରିଥିଲେ ଓ ପରେ ଉଦୟପୁର ବନପାଳଙ୍କୁ ଜଣାଇଥିଲେ । ବନପାଳ ପରମାନନ୍ଦ ନାୟକ ତାଙ୍କର ୧୦ ଜଣିଆ ଟିମ୍ ଧରି ଘଟଣା ସ୍ଥଳରେ ପହଞ୍ଚି ମୁରଲୀଚଢରେ ଥିବା କୁମ୍ଭୀରଟିକୁ ଉଦ୍ଧାରକରି ଏକ ବୋଟ୍ ଯୋଗେ ବିଚିତ୍ରପୁର ପ୍ରକୃତି ନିବାସକୁ ନେଇ ଯାଇଥିଲେ । ଉକ୍ତ ଟିମରେ ବନରକ୍ଷୀ ସଞ୍ଜୟ ମହାନ୍ତି, ସବୁଜ ବାହିନୀ ହରିଶଙ୍କର ସାହୁ, ରାଜିବ ଜେନା, ବନରକ୍ଷୀ ଜୋତ୍ସ୍ନା ରାଣୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସାଧାରଣତଃ କୁମ୍ଭୀରମାନେ ମିଠା ପାଣିରେ ରହୁଥିବା ବେଳେ ଲୁଣିପାଣିରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ସୁବର୍ଣ୍ଣରେଖା ସମୁଦ୍ରରେ ମିଶିଥିବା ଯୋଗୁଁ ଏହି କୁମ୍ଭୀରଟି ସୁବର୍ଣ୍ଣରେଖାରୁ ଆସି ଥାଇପାରେ ବୋଲି ମତପ୍ରକାଶ ପାଇଛି । ବର୍ତ୍ତମାନ ଉଦ୍ଧାର ହୋଇଥିବା କୁମ୍ଭୀରଟିକୁ ବିଚିତ୍ରପୁର ପ୍ରକୃତି ନିବାସରେ ରଖାଯାଇଛି । ବନପାଳଙ୍କ ସୂଚନା ଅନୁଯାୟୀ ଏହାକୁ ନନ୍ଦନକାନନରେ ଛଡାଯିବାର ବ୍ୟବସ୍ଥା କରାଯାଉଛି । ଉକ୍ତ କୁମ୍ଭୀରଟିକୁ ଦେଖିବାପାଇଁ ତାଳସାରୀ ଓ ବିଚିତ୍ରପୁର ବେଳାଭୂମିରେ ହଜାର ହଜାର ଜନ ସମାଗମ ହୋଇଛି । ତାଳସାରି ବେଳାଭୂମିରେ କୁମ୍ଭୀର ବାହାରିବା ପ୍ରଥମ ଘଟଣା ହୋଇଥିବାରୁ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ରିପୋର୍ଟ : ଭୋଗରାଇରୁ ସୁବାସ ଦାସ