ଓଡିଶାରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ସ୍ପେନ୍ ଦମ୍ପତ୍ତି…

ଗଜପତି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଦୁଇ କନ୍ୟାଙ୍କୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ସ୍ପେନ୍ ଦେଶର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି । ଉଦୟଗିରି ଅଞ୍ଚଳର ଏହି ଶିଶୁ ମାନେ କୋଭିଡ଼ ମହାମାରି ସମୟରେ ସେମାନଙ୍କ ମାତା ଓ ପିତାଙ୍କୁ ହରାଇଥିଲେ । ସେମାନଙ୍କୁ ଜିଲ୍ଲାପାଳଙ୍କ ନେତୃତ୍ବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମଚାରୀ ଉଦ୍ଧାର କରି ସେମାନଙ୍କର ଯତ୍ନ ଓ ସୁରକ୍ଷା ନିମନ୍ତେ ଜିଲ୍ଲାରେ ଥିବା ଏକମାତ୍ର ସ୍ବତନ୍ତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର “ନିସାନ୍ ସାଲୋମ୍” ଅନୁଷ୍ଠାନରେ ରଖିଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁମାନଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁମାନଙ୍କ ତଥ୍ୟ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ପୋର୍ଟାଲରେ ଅପଲୋଡ଼ କରାଯାଇଥିଲା । ଯାହାଦ୍ବାରା ଶିଶୁଟି ପୋଷ୍ୟ ଭାବେ ଯେକୌଣସି ଦମ୍ପତ୍ତିଙ୍କ ପାଖକୁ ଯାଇପାରିବ ।
ଦୀର୍ଘ ତିନି ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ସ୍ପେନ୍ ଦମ୍ପତ୍ତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ । ଉପରୋକ୍ତ ଦମ୍ପତ୍ତି ଭିଡ଼ିଓ ମାଧ୍ୟମରେ ଶିଶୁଦ୍ବୟଙ୍କ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ । ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ଯେହେତୁ ଶିଶୁମାନେ ବାହାର ଦେଶକୁ ପୌଷ୍ୟ ସନ୍ତାନ ଭାବେ ଯିବେ ସେଥିପାଇଁ ପୂର୍ବରୁ ଏହା ଉପରେ ଶେଷ ଶୁଣାଣି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କୋର୍ଟଙ୍କ ନିର୍ଦ୍ଦେଶ ଏହି ଦମ୍ପତ୍ତିଙ୍କ ସପକ୍ଷରେ ପ୍ରକାଶ ପାଇଥିଲା । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଶିଶୁଦ୍ବୟଙ୍କୁ ସ୍ପେନ୍ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି ।
ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରୀପାଠୀ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ର, ସଭ୍ୟ ବିଚିତ୍ରାନନ୍ଦ ପାଣି, ନିସାନ୍ ସାଲୋମ୍ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୂର୍ଯ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା