‘ଅପରେସନ୍ ଅଜୟ’ । ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ…

‘ଅପରେସନ୍ ଅଜୟ’ ଜରିଆରେ ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଫେରିଛନ୍ତି ୨୧୨ ଜଣ ଭାରତୀୟ । ଆଜି ସକାଳୁ ଭାରତରେ ଅବତରଣ କରିଛନ୍ତି ସେମାନେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏୟାରପୋର୍ଟରେ ଉପସ୍ଥିତ ରହି ଭାରତ ଫେରିଥିବା ନାଗରିକଙ୍କୁ ସ୍ୱାଗତ ଜଣାଇଛନ୍ତି ।
ଅପରେସନ୍ ଅଜୟରେ ସ୍ୱଦେଶ ଫେରିବାକୁ ଇଚ୍ଛୁକ ଭାରତୀୟଙ୍କ ଲାଗି ଇସ୍ରାଏଲରୁ ମାଗଣାରେ ଚାର୍ଟର ଫ୍ଲାଇଟ ଓ ଅନ୍ୟ ବନ୍ଦୋବସ୍ତ କରିଛନ୍ତି କେନ୍ଦ୍ର ସରକାର । ସେପଟେ ତେଲ୍-ଅଭିଭ୍ ଓ ରାମାଲାରେ ସହାୟତା ଓ ପଞ୍ଜୀକରଣ ବ୍ୟବସ୍ଥା ହୋଇଥିବା ବେଳେ ଦିଲ୍ଲୀରେ ଖୋଲିଛି ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ।
ତଥ୍ୟ ଅନୁସାରେ, ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ରହୁଥିବା ଜଣାପଡିଛି । ତେବେ ସୁରକ୍ଷିତ ଭାବେ ଇସ୍ରାଏଲରୁ ନିଜ ଦେଶକୁ ଫେରିଥିବା ଭାରତୀୟମାନେ କେନ୍ଦ୍ର ସରକାରଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଗତ ଶନିବାରଠାରୁ ଇସ୍ରାଏଲ ଓ ହାମାସା ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ଉଭୟ ପକ୍ଷର ବହୁ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ବହୁ ଭାରତୀୟ ବି ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାକୁ ଭାରତ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।