ସଚେତନ ରହିଲେ ହିଁ ସୁରକ୍ଷିତ ରହିପାରିବେ; ସାଇବର ସଚେତନତା…

କୋଟପାଡ଼ : ଓଡିଶା ପୋଲିସ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସାରା ରାଜ୍ୟରେ ଚାଲିଛି ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନଵ ସୋନାକରଙ୍କ ନିର୍ଦେଶକ୍ରମେ କୋଟପାଡ଼ ଆଇଆଇସିଙ୍କ ତତ୍ୱାବଧାନରେ, କୋଟପାଡ଼ ମହାବିଦ୍ୟାଳୟ, କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଓ କୋଟପାଡ଼ ବଡଦାଣ୍ଡଠାରେ ବିଭିନ୍ନ ସାଂସ୍କୃତିକ ଓ ସଚେତନତା ବାର୍ତ୍ତା ମାଧ୍ୟମରେ କୋଟପାଡ଼ ଜନସାଧାରଣଙ୍କୁ ସାଇବର ଠକେଇ ଉପରେ ସଚେତନତା ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମରେ କୋଟପାଡ଼ ତହସିଲଦାର ଶକ୍ତି ମହାପାତ୍ର, ବୋରିଗୁମ୍ମା ଏସଡିପିଓ ଶୁଭେନ୍ଦୁ କୁମାର ଶବର, କୋଟପାଡ଼ ଥାନା ଅଧିକାରୀ ପରମାନନ୍ଦ ସୁନାନୀ, କୋରାପୁଟ ହେଡ଼ କ୍ୱାଟରର ସାଇବର ସେଲ୍ ଇନ୍ସପେକ୍ଟର ସତ୍ୟଭାମା ବେହେରା, ଏଏସ୍ଆଇ ପଦ୍ମନ ନାୟକ, ଏସ୍ଆଇ ଚନ୍ଦ୍ରପ୍ରଭା ମହାନ୍ତି, ଚାନ୍ଦଲି ପାଣ୍ଠି ଅଧିକାରୀ ସୁନୀଲ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସାଇବର ଠକେଇକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଦେଶରେ ସାଇବର ଠକେଇ ବହୁମାତ୍ରାରେ ବୁଦ୍ଧି ପାଇବାରେ ଲାଗିଛି । ଜନସାଧାରଣ ମୋବାଇଲଦ୍ଵାରା ଠକ ମାନଙ୍କ ଅଭିନଵ ଉପାୟରେ ପ୍ରଲୋଭିତ ହୋଇ ଲୁଟର ଶିକାର ହେଇଛନ୍ତି । ଠକାମୀର ଶିକାର ହେଲା ପରେ ଲୋକେ ଥାନାର ଦ୍ଵାରସ୍ଥ ହେଉଛନ୍ତି । ଏହାକୁ ଦୁଷ୍ଟିରେ ରଖି ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ।

ଏ ନେଇ କୋଟପାଡ଼ ଥାନା ପୋଲିସ ପକ୍ଷରୁ ଏକ ସଚେତନା ଗାଡି ସହ ବିଭିନ୍ନ ସ୍ଥାନ ଭ୍ରମଣ କରି ଡାକବାଜି ଯନ୍ତ୍ର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସାଇବର ସୁରକ୍ଷା ଉପରେ ସଚେତନା କରାଯାଇଛି । ଏହି ଅବସରରେ କୋଟପାଡ଼ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କୋଟପାଡ଼ ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା କରାଯାଇଛି । ବିଶେଷ କରି କୋଟପାଡ଼ ସହରର ସମସ୍ତ ଛକମାନଙ୍କରେ ଏହି ସଚେତନା କରାଯାଇ କିଭଳି ଲୋକମାନେ ବିଗତ ଦିନରେ ସାଇବର ଠକେଇର ଶିକାର ହୋଇଛନ୍ତି, ସେ ସମ୍ପର୍କରେ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି ।
ରିପୋର୍ଟ : କୋଟପାଡରୁ ସୁନୀଲ ଦାଶ