ହିନ୍ଦୋଳ NAC ଦୋହରେଇଲା ଭାରତୀ ସିଂ ଘଟଣା । ବିଜେପି ସମର୍ଥିତ SHG ମହିଳା ହୋଇପାରିବେନି ସ୍ବଚ୍ଛସାଥୀ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NACରେ ବହୁ ଚର୍ଚ୍ଚିତ ଭାରତୀ ସିଂ ଘଟଣା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିଜେପି ସମର୍ଥିତ SHG ମହିଳାଙ୍କୁ ରାଜନୈତିକ ଆକ୍ରୋଶ କାରଣରୁ ହିନ୍ଦୋଳ NAC ଅଧ୍ୟକ୍ଷ ସ୍ଵଚ୍ଛସାଥୀ ପଦବୀରୁ ବାହାର କରି ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ହିନ୍ଦୋଳ NAC ର ୪ ନମ୍ବର ୱାର୍ଡର ଜ୍ୟୋତି ବେହେରା ଗତ NAC ନିର୍ବାଚନରେ ବିଜେପି ଦଳ ପକ୍ଷରୁ ଅନୁସୂଚିତ ଜାତି ମହିଳା ସଂରକ୍ଷିତ ୱାର୍ଡରେ କାଉନସିଲର ପ୍ରାର୍ଥୀନୀ ହୋଇଥିଲେ । ତେବେ ଖୁବ୍ କମ୍ ଭୋଟରେ ସେ ବିଜେଡ଼ି ପ୍ରାର୍ଥୀନୀଙ୍କଠାରୁ ପରାସ୍ତ ହୋଇଥିଲେ ।

ସେ ଜଣେ ଉଚ୍ଚ ଶିକ୍ଷିତା ମହିଳା ଏବଂ SHG ଗ୍ରୁପର ସଭାନେତ୍ରୀ ହୋଇଥିବାରୁ ସ୍ଵଚ୍ଛସାଥୀ ପଦବୀ ପାଇଁ ଆବେଦନ କରିଥିଲେ । ଏବଂ NAC କର୍ତ୍ତୃପକ୍ଷଙ୍କ ଦ୍ଵାରା ଚୟନ ମଧ୍ୟ ହୋଇଥିଲେ । ତାଙ୍କୁ ହିନ୍ଦୋଳ NAC କାର୍ଯ୍ୟାଳୟକୁ ଡାକି ୱାର୍ଡ ନମ୍ବର ୮,୯ ଏବଂ ୧୫ ର ସ୍ଵଚ୍ଛ ସାଥୀ ଭାବେ କାର୍ଯ୍ୟ କରିବାକୁ ସମସ୍ତ ଦସ୍ତାବିଜ୍ ଏବଂ ରିସିପ୍ଟ ବହି ମଧ୍ୟ ଦିଆଯାଇଥିଲା । ତେବେ ସେ ନିଜ ୱାର୍ଡଠାରୁ ବହୁ ଦୂରରେ ଅବସ୍ଥିତ ସେହି ସବୁ ୱାର୍ଡକୁ ଯାଇ ଦୁଇଦିନ କାର୍ଯ୍ୟ ମଧ୍ୟ କରିଥିଲେ । ହେଲେ ଦୁଇଦିନ ପରେ NAC କର୍ତ୍ତୃପକ୍ଷ ସିଧା ସଳଖ ଜଣାଇ ଦେଇଥିଲେ ଯେ ସେ ଜଣେ ବିଜେପି ସମର୍ଥିତ ମହିଳା ହୋଇଥିବାରୁ କାର୍ଯ୍ୟ ନକରିବାକୁ NAC ଅଧ୍ୟକ୍ଷ କଡା ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ସେ ଅଧ୍ୟକ୍ଷଙ୍କୁ ଭେଟି ପଚାରିବାରୁ ସେ ରୋକ୍ ଠୋକ ଶୁଣାଇ ଦେଇଥିଲେ ଯେ ତୁମେ ଜଣେ ବିଜେପି ମହିଳା ଏବଂ ବିଧାୟିକାଙ୍କ ନିର୍ଦ୍ଦେଶ ଅଛି ତୁମକୁ ସ୍ଵଚ୍ଛ ସାଥି ପଦବୀରୁ ବାହାର କରିବା ପାଇଁ ।

ଏହି ଘଟଣାକୁ ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିବା ବେଳେ NAC ଅଧ୍ୟକ୍ଷଙ୍କ ସ୍ବେଚ୍ଛାଚାରିତା ନୀତିକୁ ଲୋକମାନେ ତୀବ୍ର ସମାଲୋଚନା କରୁଥିବା ଜଣାପଡିଛି । ସତରେ ଏହା ବିଧାୟିକାଙ୍କ ନିର୍ଦ୍ଦେଶ ଅଛି ନା ଅଧ୍ୟକ୍ଷ ମିଛରେ ତାଙ୍କ ନାଁ ନେଇ ନିର୍ବାଚନ ରାଗ ସୁଝାଉଛନ୍ତି ବୋଲି ଲୋକେ ସନ୍ଦେହ ପ୍ରକାଶ କରିବା ସହ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି । ମାଆକୁ ସମ୍ମାନ ନାରା ବିଜେଡି ଦେଇଉଥିବାବଳେ ହିନ୍ଦୋଳ NAC ରେ ଏହା ପାଣିରେ ଗାର ସଦୃଶ ବୋଲି ସ୍ପଷ୍ଟ ଜଣାପଡ଼ିଛି । ଜଣେ ଉଚ୍ଚ ଶିକ୍ଷିତା ଅନୁସୂଚିତ ଜାତିର SHG ମହିଳାଙ୍କ ପ୍ରତି ଶାସକ ଦଳର ଏଭଳି ଆକ୍ରୋଶମୂଳକ ଭାବନାକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି ।

ଏ ନେଇ NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଆମେ ତାଙ୍କୁ କୌଣସି ପ୍ରକାରର ଦସ୍ତାବିଜ୍ ଦେଇ ନଥିଲୁ ଏବଂ କେବଳ ପରୀକ୍ଷା ମୂଳକ ଭାବେ ସେ ଦୁଇଦିନ କାର୍ଯ୍ୟ କରିଥିଲେ । ପରେ ସେ NAC ଅଧ୍ୟକ୍ଷଙ୍କୁ ଭେଟିଲା ପରେ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାକୁ ଯେତେ ଘୋଡାଇଲେ ମଧ୍ୟ NAC କର୍ତ୍ତୃପକ୍ଷ ଏବଂ ଅଧ୍ୟକ୍ଷଙ୍କ ଟାଳଟୁଳ ନୀତି ଏବେ ପଦାରେ ପଡ଼ିଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ : ହିନ୍ଦୋଳରୁ ସୁଜିତ୍ କୁମାର ବେହେରା