ସାଇବର ସଚେତନତା ପାଇଁ ଗଡିଲା ସଚେତନ ରଥ…

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଗୁଣ୍ଡିଚା ବାଡ଼ି ପଡିଆରେ ସାଇବର ଅପରାଧ ରୋକିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଗଜପତି ଏସ୍.ପି ସ୍ବାତି ଏସ୍.କୁମାର, ଜୀ ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ୍. ଆନନ୍ଦ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସିନ ଥିଲେ ।

ଆୟୋଜିତ ସାଇବର ସଚେତନତା କାର୍ଯ୍ୟକ୍ରମ, ଗଜପତି ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ୍.କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମଞ୍ଚାସିନ ଅତିଥିମାନେ ସାଇବର ଅପରାଧ କିପରି ରୋକାଯାଇ ପାରିବ ସେ ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ଲୋକଙ୍କୁ ସଚେତନତା ଓ ବହୁଳ ପ୍ରଚାର ପ୍ରସାର କରିବା ଦ୍ୱାରା ସାଇବର ଅପରାଧ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ପରେ ସାଇବର ସଚେତନତା ରଥକୁ ଗଜପତି ଏସ୍.ପି ସ୍ବାତି ଏସ୍.କୁମାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ବ୍ଳକ, ପଞ୍ଚାୟତ, ଗ୍ରାମ ଓ ସହରାଞ୍ଚଳରେ ଲୋକମାନଙ୍କୁ ସଚେତନତା କରାଇବ । ତେବେ ଲୋକଙ୍କୁ ପ୍ରଚାର ପତ୍ର ବଣ୍ଟନ ଓ ପଥ ପ୍ରାନ୍ତ ନାଟକ ଦ୍ବାରା ସଚେତନତା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଅବସରରେ ଏକ ବାଇକ ରାଲି ବାହାରି ଲୋକଙ୍କୁ ସଚେତନତା କରାଯାଇଥିଲା । ଏହିଭଳି ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଏ ନେଇ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ଭୂୟଂସୀ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା