ଆଜିଠୁ ଖୋଲିଲା ଭୁବନେଶ୍ୱରର ୧ ନମ୍ବର ହାଟ…

ଆଜିଠୁ ଖୋଲିଛି ଭୁବନେଶ୍ୱରର ୧ ନମ୍ବର ହାଟ । ବିଏମସି ସହ ଆଲୋଚନା ପରେ ୧ ନମ୍ବର ହାଟ ବ୍ୟବସାୟୀ ସଂଘ ସଭାପତି ଆଜିଠାରୁ ହାଟ ଖୋଲିବା ନେଇ ସୂଚନା ଦେଇଥିଲେ । ହାଟ ପରିସରରେ ପାର୍କିଂ ସମସ୍ୟା, ଡ୍ରେନେଜ ବ୍ୟବସ୍ଥା, ପିଇବା ପାଣି ଓ ରାସ୍ତା ଜବର ଦଖଲ ଉଚ୍ଛେଦ ଭଳି ଦାବି ନେଇ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ୟୁନିଟ-୧ର ବ୍ୟବସାୟୀ ସଂଘ । ଫଳରେ ୧ ନମ୍ବର ହାଟ ବନ୍ଦ ରହିଥିଲା ।
ଗତକାଲି ବିଏମସିର ଏକ ଟିମ୍ ହାଟ ପରିଦର୍ଶନ କରିବା ପରେ ଯଥାର୍ଥ ଦାବିଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସଂଘର ମୁଖ୍ୟ ଦାବି ପାର୍କିଂ ସମସ୍ୟାର ସମାଧାନ କରିବାକୁ ୨ରୁ ୪ ଦିନର ସମୟ ମାଗିଛି ବିଏମସି । ଏହାପରେ ଆଜି ଭୁବନେଶ୍ୱର ୧ ନମ୍ବର ହାଟ ଖୋଲିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।