ମହାନଦୀ ବ୍ରିଜ୍ ଉପରେ ଝୁଲି ରହିଲା ବସ୍ । ଯାତ୍ରୀ ସୁରକ୍ଷିତ…

କଟକ : କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇ ଆଗକୁ ମାଡି ଯାଇଥିଲା । ତେବେ ବସଟି ବ୍ରିଜ ତଳକୁ ନ ଖସି ଝୁଲନ୍ତା ଅବସ୍ଥାରେ ରହିଥିଲା । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ୧୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ବସଟି କେମିତି ଏଭଳି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।