ଯୁବକମାନଙ୍କ ମହନୀୟତା । ଗଣେଶ ବିସର୍ଜନ ପରେ ରାସ୍ତାକଡରେ ଆହାତଙ୍କୁ ଦେଖି ତୁରନ୍ତ କଲେ ସାହାଯ୍ୟ…

ଭୁବନେଶ୍ବର: ମହାନତା ଦେଖାଇଲେ ସହିଦନଗର ସ୍ଥିତ ମା’ ସନ୍ତୋଷୀ ୟୁଥ କ୍ଲବର ସଦସ୍ୟ । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ସହ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇଲେ ୟୁଥ କ୍ଲବର ସଦସ୍ୟ । ସୂଚନା ଅନୁସାରେ, ମା’ ସନ୍ତୋଷୀ ୟୁଥ କ୍ଲବର ଗଣେଶ ପୂଜା ଭଷାଣି ମହୋତ୍ସବ ହୋଇଥିଲା । କ୍ଲବର ସଦସ୍ୟମାନେ କୁଆଖାଇ ନଦୀରେ ମୂର୍ତ୍ତୀ ବିସର୍ଜନ କରି ଫେରିବା ବେଳେ ହାଇଟେକ୍ ଓଭରବ୍ରିଜରେ ଏକ ବାଇକ୍ ଦୁର୍ଘଟଣା ହୋଇଥିବା ଦେଖିବାକୁ ପାଇଥିଲେ । ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ଆହତ ହୋଇ ରାସ୍ତା ମଝିରେ ପଡି ରହିଥିଲେ । ଆହତଙ୍କୁ ଦେଖିବା ମାତ୍ରେ ୟୁଥ କ୍ଲବର ସଦସ୍ୟମାନେ ଗାଡିକୁ ରାସ୍ତା କଡରେ ଅଟକ ରଖି ତାଙ୍କର ସାହାଯ୍ୟ କରିଥିଲେ । ଏହି ସମୟରେ ମା’ ସନ୍ତୋଷୀ ୟୁଥ କ୍ଲବର ସଭାପତି ଜି. ରୁଦ୍ର, ଉପସଭାପତି ଏମ୍ ଜଗା ରାଓ ଏବଂ କେ. ଶିବା ରାଓ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ । ଘଟଣାସ୍ଥଳରେ କ୍ଲବ ଜୁନିଅର ସଭାପତି କେ. ରମେଶ ରାଓ, ଆଲୋକ କୁମାର ପରିଡା ଏବଂ ଏମ୍ ନରସିଂହ ଉପସ୍ଥିତ ରହି ଆହତଙ୍କ ପରିବାର ସହ ଯୋଗାଯୋଗ କରିବା ସହ ସୁରକ୍ଷିତ ଭାବେ ତାଙ୍କୁ ଘରକୁ ପଠାଇଥିଲେ । ଏ ନେଇ ଆହାତଙ୍କ ପରିବାର ଲୋକେ ମା’ ସନ୍ତୋଷୀ ୟୁଥ କ୍ଲବର ସମସ୍ତ ଯୁବ ସଭ୍ୟଙ୍କୁ ଧନ୍ୟବାଦ ଜଣାଇବା ସହିତ ୟୁଥ କ୍ଲବର ଉନ୍ନତି ହେଉ ବୋଲି କହିଛନ୍ତି ।