ଲୋକନୃତ୍ୟ ଯେକୌଣସି ଦେଶର ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଗଜପତିରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ।

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ, ଭୁବନେଶ୍ୱର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୋନାଲିସା ଦାଶ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଆମ୍ପୋଲୁ ରବି କୁମାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଲୋକନୃତ୍ୟର ନିୟମାବଳୀର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ଲୋକ ନୃତ୍ୟ ଯେକୌଣସି ଦେଶର ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କାରଣ ଏହା ଲୋକଙ୍କ ପିତୃପୁରୁଷଙ୍କୁ ପ୍ରତିଫଳିତ କରିଥାଏ । ଲୋକନୃତ୍ୟ ହଜାରେ ବର୍ଷର ପୁରୁଣା ପରମ୍ପରା ହୋଇପାରେ କିନ୍ତୁ ଆଜି ବି ବିଭିନ୍ନ ଅଞ୍ଚଳ ତଥା ସଂସ୍କୃତିର ଲୋକନୃତ୍ୟ ସହିତ ଜଡିତ ସମୃଦ୍ଧ ସାଂସ୍କୃତିକ ଉତ୍ତରାଧିକାରୀ ଏବଂ ପରମ୍ପରାକୁ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ପାଳନ କରିବା ସହ ଛାତ୍ରମାନଙ୍କୁ ସେମାନଙ୍କର ନୃତ୍ୟ ଦକ୍ଷତା ଏବଂ ସୃଜନଶୀଳତାର ବିକାଶ ପାଇଁ ଏକ ସୁଯୋଗ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ।

କାର୍ଯ୍ୟକ୍ରମରେ ମଞ୍ଚ ନିର୍ଦ୍ଦେଶକ ଏବଂ ନାଟ୍ୟକାର ମନୋଜ ପାଢ଼ୀ ଓ ମଞ୍ଚ କଳାକାର ତଥା ନୃତ୍ୟ ନିର୍ଦ୍ଦେଶକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଗଜପତିର ବିଚାରକ ରୂପେ ଯୋଗ ଦେଇଥିଲେ । ଏଥିରେ ପ୍ରତ୍ୟେକ ବ୍ଲକରୁ ମନୋନୀତ ହୋଇଥିବା ଛାତ୍ରମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ୍ ଭାଲିଆ ସାହି ଦ୍ୱିତୀୟ ସ୍ଥାନ ଏବଂ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ଓ ଲକ୍ଷ୍ମୀ ନୃସିଂହ ବିଦ୍ୟାପୀଠ, ନୂଆଗଡ ଉଭୟ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ତେବେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ସ୍ଥାନୀୟ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଲତା ଶୁଭଦର୍ଶିନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଏନ୍. ଜଗଦୀଶ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏହାକୁ ସହଯୋଗ କରିଥିଲେ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା