ସୌମ୍ୟଙ୍କ ସହ ସୁଧାଂଶୁ ହେଲେ ଦଳରୁ ବହିଷ୍କୃତ…

ଦୁଇଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କରାଯାଇଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ଦଳରୁ ବିଦା କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କୁ ବହିଷ୍କାର କରାଯାଇଥିବା ନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହାସହ ବିଜେଡି ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇଛି । ଯେଉଁଥିରେ ‘ସମ୍ବାଦ’ ଲୋନ୍ ସ୍କାମ୍ ନିମନ୍ତେ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି । ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ସ୍କାମ୍ ନେଇ ଇଓଡବ୍ଲୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ ହୋଇଛି ।
ଗତ କିଛିଦିନ ତଳେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନଙ୍କୁ ବିଜେଡି ଉପ-ସଭାପତି ପଦରୁ ହଟାଯାଇଥିଲା । ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ ନା ସଚିବ ବଡ’ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଏପରି କରିଥିଲା ବିଜେଡି ।
ସେହିପରି ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବହିଷ୍କାର ନେଇ କାରଣ ଦର୍ଶାଇଛି ବିଜେଡି । ସବ୍ସିଡି ସ୍କାମ୍ ମାମଲାରେ ସୁଧାଂଶୁଙ୍କୁ ବହିଷ୍କାର କରାଯାଇଥିବା ପ୍ରେସ ରିଲିଜରେ ଦର୍ଶାଯାଇଛି । ସୁଧାଂଶୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡି ପରିଚାଳନାଧୀନ କଂପାନୀ ୩ କୋଟି ଟଙ୍କା ହଡ଼ପ କରିଥିବା ଦର୍ଶାଯାଇଛି ।