କୋଦଳା-ଭୋଦୁଆ ରାସ୍ତା ମରଣଯନ୍ତା । ଟେଣ୍ଡରକୁ ପୂରିଲାଣି ଦୁଇମାସ, ମାତ୍ର କାର୍ଯ୍ୟାରମ୍ଭ କେବେ ପ୍ରଶ୍ନ ନେଇ ବିଜେପିର ପ୍ରତିବାଦ…

କୋଦଳା : କୋଦଳା ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ଥିବା କୋଦଳା-ଭୋଦୁଆ ରାସ୍ତା ସାଧାରଣ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ଯାହାକୁ ନେଇ ବିକ୍ଷୋଭ କରିଛି ବିଜେପି । ବର୍ତ୍ତମାନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ ଏହି ରାସ୍ତା ଦେଇ ପାଦରେ ଚଲାବୁଲା କରିବା ମଧ୍ୟ କଷ୍ଟକର ହୋଇପଡିଛି । କୋଦଳା ପୂର୍ତ୍ତ ବିଭାଗ ରାସ୍ତା-୩୦କୁ ସଂଯୋଗ କରୁଥିବା କୋଦଳା-ଭୋଦୁଆ ରାସ୍ତା ଉପରେ ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଜନସାଧାରଣ ନିର୍ଭର କରୁଥିବା ବେଳେ ଏହି ରାସ୍ତା ଦେଇ ଐତିହାସିକ ଶୈବପୀଠ ଝାଡ଼େଶ୍ୱର ଏବଂ କୋଦଳା ଶୈବପୀଠ ଦଣ୍ଡିଶ୍ୱର ମନ୍ଦିର ଅବସ୍ଥିତ । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ଭକ୍ତ ଯିବା ଆସିବା କରନ୍ତି । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସ୍ଥାନୀୟ ବିଭାଗର ଉଦାସୀନ ମନୋଭାବ କାରଣରୁ ଏହା ଦୟନୀୟ ଅବସ୍ଥାରେ ପଡି ରହିଛି । ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବେ ଏହି ରାସ୍ତାରେ ଏକ କାର ଦୁର୍ଘଟଣାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ଚିରନିଦ୍ରାରେ ରହିଥିବାରୁ ବରିଷ୍ଠ ବିଜେପି ନେତ୍ରୀ ଅନିତା ଶୁଭଦର୍ଶିନୀ, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ୟ୍ୟନାରାୟଣ ନାୟକ, ଉପାଧ୍ୟାକ୍ଷା ରଂଜିତା ସେଠି, କାଉନସିଲର ରିତାଞ୍ଜଳୀ ମିଶ୍ର, ସୁଧାଂଶୁ ବେହେରାଙ୍କ ସହ ବହୁ କର୍ମୀ ରାସ୍ତାରେ ପ୍ରତିବାଦ କରିବା ସହ ଆଗାମୀ ୭ଦିନ ମଧ୍ୟରେ କାମ ଆରମ୍ଭ ନ ହେଲେ ରାସ୍ତାରୋକ କରାଯିବ ବୋଲି ଦାବିପତ୍ର ପ୍ରଦାନ କରିଛନ୍ତି ।
ତଥ୍ୟ ଅନୁସାରେ, ଉକ୍ତ ରାସ୍ତାକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚିଠି ନମ୍ବର ୩୦୨୮ ଅନୁସାରେ ଗତ ଜୁଲାଇ ମାସରୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଛି । ବର୍ତମାନ ଟେଣ୍ଡରକୁ ଦୁଇମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଅପରପକ୍ଷେ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ଜମି ରହିଥିବା ବେଳେ କାମ କେମିତି ହେଵ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ନେଇ ବିଭାଗୀୟ ଯନ୍ତ୍ରୀ ଦିଲପ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ଟେଣ୍ଡର ହୋଇଥିଲେ ବି ଏଗ୍ରିମେଣ୍ଟ ହୋଇନଥିବାରୁ କାର୍ଯ୍ୟ ଆରମ୍ଭ ହୋଇନାହିଁ ଏବଂ ଯଥାଶୀଘ୍ର ଏଗ୍ରିମେଣ୍ଟ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ସେପଟେ ତୁରନ୍ତ ରାସ୍ତା କାମ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସ୍ଥାନୀୟ ବାସିନ୍ଦା ମଧ୍ୟ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ