ପ୍ଲାଷ୍ଟର ଅଫ୍ ପ୍ୟାରିସ୍ ନୁହେଁ ଏଣିକି କେବଳ ମାଟି ମୂର୍ତ୍ତିରେ ଦିଅଁ…

ଗଜପତି : କୌଳିକ ବୃତ୍ତିକୁ ଫେରି ପାଇ ଖୁସିରେ ମୂର୍ତ୍ତି କାରିଗର । ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ ରୋକ ଲାଗିଛି । ବର୍ତ୍ତମାନ ପାର୍ବଣର ଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆସୁଛି ଗଣେଶ ପୂଜା । ପାରଳାଖେମୁଣ୍ଡି ସହର ସହ ଆଖପାଖ ଅଞ୍ଚଳରେ ପ୍ଲାଷ୍ଟର ପ୍ୟାରିସରେ ତିଆରି ଗଣେଶ ମୂର୍ତ୍ତି ଦେଖିବାକୁ ସୁନ୍ଦର ଲାଗୁଥିବା ବେଳେ ମାଟି ମୂର୍ତ୍ତି ଅପେକ୍ଷା କମ୍ ଦାମରେ ବଜାରରେ ମିଳୁଥିବା ଯୋଗୁଁ ଲୋକେ ଏହି ମୂର୍ତ୍ତି କିଣିବା ପାଇଁ ଆଗ୍ରହ ହେଉଥିଲେ । ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହୃତ ହେଉଥିବା ଯୋଗୁଁ ଏହା ପରିବେଶ ପାଇଁ କ୍ଷତିକାରକ । ଏଣୁ ଚଳିତ ବର୍ଷ ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲଗାଇଛି । ଯାହା ଫଳରେ ଚଳିତ ବର୍ଷ ମାଟି ମୂର୍ତ୍ତି ତିଆରି କରୁଥିବା କାରିଗରମାନେ ଭଲ ବ୍ୟବସାୟ ହେବା ନେଇ ଆଶା କରି ବିଭିନ୍ନ ପ୍ରକାରର ମାଟିର ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳୁଛି । ମାଟିରେ ତିଆରି ମୂର୍ତ୍ତି ପରିବେଶ ପାଇଁ ସହାୟକ ହୋଇଥିବା ବେଳେ ଏଥିରେ ବ୍ୟବହୃତ ରଙ୍ଗ କୌଣସି ହାନି ଘଟାଇ ନଥାଏ । ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ବିକ୍ରି ଉପରେ କଟକଣା ଲାଗିବା ପରେ ମାଟି ମୂର୍ତ୍ତି ତିଆରି କରୁଥିବା କାରିଗର ମାନେ ନିଜ ନିଜ କୌଳିକ ବୃତ୍ତି ଫେରି ପାଇଥିବା ବେଳେ ଯଦି ଆଗରୁ ଏହି ପଦକ୍ଷେପ ନିଆଯାଇ ମୂର୍ତ୍ତି କାରିଗରଙ୍କୁ ଅବଗତ କରାଯାଇଥାନ୍ତା ତେବେ ମୂର୍ତ୍ତି କାରିଗର ଅଧିକ ମୂର୍ତ୍ତି ତିଆରି କରିପାରିଥାନ୍ତେ ବୋଲି କହିଛନ୍ତି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା