ବିକାଶର ନଗ୍ନ ଚିତ୍ର । ୨୩ ବର୍ଷର ସ୍ଥାୟୀ ସରକାର ବି ଫେଲ୍ । ପୁଣି ବିଜେଡିକୁ କି ଭରଷା…

କୋଟପାଡ଼ : ରାଜ୍ୟ ସରକାର ଗାଁ ଗାଁର ବିକାଶର ନାରା ଦେଇ ଏଥି ନିମନ୍ତେ କୋଟି କୋଟି ଟଙ୍କା ବିନିଯୋଗ କରୁଛନ୍ତି । ଏହା ସହିତ ବିକାଶର ଶ୍ରେୟ ନେବା ପାଇଁ ଡିଣ୍ଡିମ ମଧ୍ୟ ପିଟୁଛନ୍ତି । କିନ୍ତୁ ଏହି ରିପୋର୍ଟ ବାବଦରେ ଜାଣିବା ପରେ ସରକାରଙ୍କର ୨୩ ବର୍ଷର ଶାସନ ବ୍ୟବସ୍ଥାର ଅସଲ ମୁଖା ଆପଣଙ୍କ ସମ୍ମୁଖରେ ଆସିବ । ଏ ସ୍ଥାନ କୈଣସି ଦୁର୍ଗମ ଅଞ୍ଚଳର ନୁହେଁ ।

ଏହା ହେଉଛି କୋଟପାଡ଼ ବ୍ଲକ ଅନ୍ତର୍ଗତ ସଡ଼ରଙ୍ଗା ପଞ୍ଚାୟତର ବରଣ୍ଡି ଗ୍ରାମ । ଏହି ଗ୍ରାମଟି କୋଟପାଡ଼ ବ୍ଲକଠାରୁ ମାତ୍ର ୮ କିଲୋମିଟର ଦୂରରେ ଅବସ୍ଥିତ । ଏବଂ କୋଟପାଡ଼ ବିଧାୟିକାଙ୍କ ଘରଠାରୁ ମାତ୍ର ୪ କିଲୋମିଟର ଦୂରରେ ଅବସ୍ଥିତ । ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଗ୍ରାମରେ ବହିଯାଉଥିବା ଇନ୍ଦ୍ରାବତି ନଦୀ ଦ୍ୱାରା ଗ୍ରାମର ନଦୀର କୂଳଖାଇ ଗ୍ରାମର କିଛି ଅଂଶ ନଦୀ ଗର୍ଭରେ ଲୀନ ହୋଇସାରିଛି । ଏପରିକି ମୂର୍ତ୍ତିକା କ୍ଷୟ ମଧ୍ୟ ହେଉଛି । ଆଉ କିଛି ଅଂଶ ପ୍ରତିଦିନ କୂଳ ଖାଉଛି । ଗ୍ରାମବାସୀ ଏହି ସମସ୍ୟା ବିଷୟରେ ଜନ ପତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇ ସାରିଲେଣି ।

ନଦୀ କୂଳ ଖାଉଥିବା ସ୍ଥାନରେ ପଥର ପେଚିଂ କରିବା ନିମନ୍ତେ ପ୍ରଶାସନକୁ ବହୁବାର ଗୁହାରି କରିଛନ୍ତି ଗ୍ରାମବାସୀଙ୍କୁ । ହେଲେ ଗ୍ରାମବାସୀଙ୍କୁ ମିଳିଛି କେବଳ ପ୍ରତିଶ୍ରୁତି । ପ୍ରତିଶ୍ରୁତିର ସରକାର ଦୀର୍ଘ ୨୩ ବର୍ଷ ଶାସନ କରିବା ପରେ ଯଦି ଆଜିଯାଏଁ ସମସ୍ୟା ସୁଧାରି ପାରିଲାନି ତେବେ ଆଗାମୀ ସାଧାରଣ ନିର୍ବାଚନରେ ପୁଣି ବିଜେଡିକୁ ଶାସନ ଗାଦିରେ ବସାଇ କଣ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା ।

ଗ୍ରାମବାସୀଙ୍କ ଅଭିଯୋଗ ହେଲା ନିର୍ବାଚନ ଆସିଲେ ରାଜନେତାମାନେ ଭୋଟରଙ୍କୁ ଭୁଆଁ ବୁଲାଇ ମିଛ ପ୍ରତିଶ୍ରୁତି ଦେଇ ଭୋଟ ପାଇବା ନିମନ୍ତେ ଗ୍ରାମକୁ ଆସୁଛନ୍ତି । କିନ୍ତୁ ଜିତିବା ପରେ କାହାର ଏଠାରେ ପାଦ ପଡୁନି । ନଦୀ କୂଳ ଖାଇବା ଦ୍ୱାରା ବରଣ୍ଡି ଗ୍ରାମର ଅଧିକାଂଶ ଲୋକଙ୍କ ଘର ଏବଂ ଜମି ନଦୀଗର୍ଭରେ ଲୀନ ହୋଇଗଲାଣି । ଯାହା ଦ୍ୱାରା ଗ୍ରାମବାସୀ ବାଧ୍ୟ ହୋଇ ନିରୁପାୟ ହୋଇ ଅନ୍ୟଗ୍ରାମରେ ବସବାସ କରୁଛନ୍ତି । ଆଉ କିଛି ଗ୍ରାମବାସୀ ବାଧ୍ୟ ହୋଇ ବିପଦ ସଂକୁଳ ଅବସ୍ଥାରେ ସେହି ଗ୍ରାମରେ ହିଁ ବସବାସ କରୁଛନ୍ତି । କିନ୍ତୁ ପ୍ରଶାସନ ସବୁ ଦେଖି ନିରବ ଦ୍ରଷ୍ଟା ସାଜିଛି l

୪୦ ବର୍ଷର ସମସ୍ୟା । ୨୩ ବର୍ଷର ସ୍ଥାୟୀ ସରକାର । ସମାଧାନର ବାଟ ଶୂନ୍ୟ । ଦେଖିବାକୁ ବାକି ରହିଲା ଏହି ଗ୍ରାମର ସମସ୍ୟା ଆଗାମୀ ଦିନରେ କି ମୋଡ ନେଉଛି ।
ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ