ପ୍ରକଳ୍ପ ପାଇଁ ଟିଏସ୍ଏସ୍ଇଜେଡ୍ ଏବଂ ଆଭାଡା ଗ୍ରୁପ୍ ମଧ୍ୟରେ MOU ସ୍ବାକ୍ଷର…

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାସ୍ଥିତ ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ଲାଗି ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ୍ ଓ ସମନି୍ୱତ ଶକ୍ତି ସଂସ୍ଥା ଆଭାଡା ଗ୍ରୁପର ଗ୍ରିନ୍ ହାଇଡ୍ରୋଜେନ୍ ଶାଖା – ଆଭାଡା ଗ୍ରିନ୍ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍.ଓ.ୟୁ) ସ୍ୱାକ୍ଷର ହୋଇଛି । ଏଥିରେ ଟିଏସ୍ଏସ୍ଇଜେଡ୍ଏଲର ଗୋପାଳପୁର ଶିଳ୍ପ ପାର୍କରେ ଆଭାଡା ଗ୍ରୁପ୍ ୧୨୦ ଏକର ଜମି ଅଧିଗ୍ରହଣ କରି ୦.୫ ଏମଟିପିଏର ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ତାହାର ଡେରିଭେଟିଭ୍ ୟୁନିଟ୍ ସ୍ଥାପନ କରିବ ।
ଓଡ଼ିଶା ଶିଳ୍ପ ଭିତିଭୂମି ବିକାଶ ନିଗମ (ଇଡକୋ), ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ ଲିମିଟେଡ୍ (ଇପିକଲ୍)ର ଅଧ୍ୟକ୍ଷ, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଆଇଏଏସ୍ ହେମନ୍ତ ଶର୍ମା, ଇପିକଲର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ଭୁପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ଟିଏସ୍ଏସ୍ଇଜେଡ୍ଏଲର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଓ ଆଭାଡା ଗ୍ରୁପର ସଭାପତି ପ୍ରଶାନ୍ତ ଚୌବେ ଏହି ଏମ୍.ଓ.ୟୁରେ ସ୍ୱାକ୍ଷର କରିଛନ୍ତି ।
ଗୋପାଳପୁର ଶିଳ୍ପ ପାର୍କରେ ୨୭,୦୦୦ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଆମୋନିଆ ପ୍ରକଳ୍ପ ସ୍ଥାପନ ଲାଗି ୨୦୨୩ ଅଗଷ୍ଟ ୨୫ରେ ଏସିଏମ୍ଇ କ୍ଲିନ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ସହିତ ଟିଏସ୍ଏସ୍ଇଜେଡ୍ଏଲ୍ ପକ୍ଷରୁ ଏକ ବୁଝାମଣା ସ୍ୱାକ୍ଷର କରାଯାଇଥିଲା । ଏସିଏମ୍ଇ ପକ୍ଷରୁ ଟିଏସ୍ଏସ୍ଇଜେଡ୍ଏଲର ଗୋପାଳପୁର ଶିଳ୍ପ ପାର୍କରେ ୩୪୩ ଏକର ଜମି ଅଧିଗ୍ରହଣ କରାଯିବ ଏବଂ ଏକ ୧.୩ ଏମଟିପିଏର ଗ୍ରିନ୍ ଆମୋନିଆ ଉତ୍ପାଦନ କାରଖାନା ସ୍ଥାପନ କରାଯିବ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ