୧୪ ରୁ ଆମରଣ ଅନଶନ କରିବ ଭାରତୀୟ ମଜଦୂର ସଂଘ…

ଭୁବନେଶ୍ଵର : ପଞ୍ଜିକୃତ ଖଟିଖିଆ ଗରିବ ଶ୍ରମିକ ଓ ତାଙ୍କ ପରିବାର ବର୍ଗଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗେଇ ଦେବାପାଇଁ କର୍ମଚାରୀ ରାଜ୍ୟ ବୀମା ନିଗମ ଭାରତ ସରକାରଙ୍କ ଦ୍ବାରା ସ୍ଥାପିତ ଏହି ସଂସ୍ଥା ସାରା ଦେଶରେ କାର୍ଯ୍ୟ କରୁଛି । ଆମ ରାଜ୍ୟର ପ୍ରାୟ ୧୨ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି । ତେବେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟରେ ବର୍ତ୍ତମାନର ଆଞ୍ଚଳିକ ଭାରପ୍ରାପ୍ତ ନିର୍ଦେଶକ ଭାବେ ଦାଇତ୍ବରେ ଥିବା ପାର୍ଥ ସାରଥୀ ପଣ୍ଡାଙ୍କ ଅନୈତିକ କାର୍ଯ୍ୟ କଳାପ ଯୋଗୁ ପଞ୍ଜିକୃତ ହିତାଧିକାରୀଙ୍କ ସ୍ବାର୍ଥ ହାନି ହେଉଛି । ଏହାର ବିରୋଧରେ ଆସନ୍ତା ୧୪ ତାରିଖରୁ ଭୁବନେଶ୍ୱର ସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ ଆଞ୍ଚଳିକ କାର୍ଯ୍ୟାଳୟରେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ଭାରତୀୟ ମଜଦୂର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ ।
ଏହି ସଂସ୍ଥା ୨୦୧୦ ମସିହାରେ ପଞ୍ଜିକୃତ ବ୍ୟବସ୍ଥାକୁ କମ୍ପୁଟରୀକୃତ କରିବା ସମୟରେ NALCO ରେ ଠିକା ଶ୍ରମିକ ଭାବେ କାର୍ଯ୍ୟରତ ଅନେକ ଶ୍ରମିକଙ୍କର ଜନ୍ମ ତାରିଖ ପଞ୍ଜିକୃତ କରିଥିଲେ । ଯଦ୍ବାରା ଅନେକ ଶ୍ରମିକ ଅବସର ବୟସ ପୂର୍ବରୁ ଅବସର ଗ୍ରହଣ କଲେ । ଏହି ତ୍ରୁଟି ନିଗମ ଦ୍ବାରା ହୋଇଥିଲା ତେଣୁ ଭାରତୀୟ ମଜଦୂର ସଂଘ ଏ ସମ୍ପର୍କରେ ନିଗମର ଦୃଷ୍ଟି ଆକର୍ଷଣ କରିଥିଲା । ଫଳ ସ୍ବରୂପ ଗତ ୨୦୧୭ ଜୁଲାଇ ମାସରେ ଆଞ୍ଚଳିକ ନିର୍ଦେଶକଙ୍କ କାର୍ଯ୍ୟାଳୟରୁ ପତ୍ର ମାଧ୍ୟମରେ ଅନୁଗୁଳ ବୀମା ନିଗମ ସଖାକୁ ନିର୍ଦେଶ ଦିଆଯାଇଥିଲା ଯେ ନିଗମ ନିୟମ ଅନୁଯାଇ ପାରା ୧.୭୩ (୧) ଓ (୨) ଅନୁଯାଇ ମାଲିକ ଓ ଶ୍ରମିକମାନଙ୍କ ମିଳିତ ଦସ୍ତଖତ ଫର୍ମ ପୁରଣ କରି ଦାଖଲ କଲେ ତାହା ସଂଶୋଧନ ହୋଇଯିବ । କିନ୍ତୁ ବଡ ଦୁଃଖର ବିଷୟ ଆଜକୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ପାରିଲାନାହିଁ ।
ଏ ସମ୍ବନ୍ଧରେ ଭାରତୀୟ ମଜଦୂର ସଂଘ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଗତ ୧୭ ଅଗଷ୍ଟ ୨୦୨୩ ରେ ଭାରପ୍ରାପ୍ତ ଆଞ୍ଚଳିକ ନିର୍ଦେଶକ ପାର୍ଥ ସାରଥୀ ପଣ୍ଡାଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ଏହି ସମୟରେ ସେ ଉତ୍ତ୍ୟକ୍ତ ହେବା ସହ ସଂଘର ପ୍ରତିନିଧିଙ୍କୁ ବହୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏହାସହ ବିଭିନ୍ନ ଅଭିଯୋଗରେ ଶ୍ରୀ ପଣ୍ଡା ହଟାଓ ESIC ବଞ୍ଚାଅ ନାରା ଦେଇ ଆସନ୍ତା ୧୪ ତାରିଖରୁ ଭାରତୀୟ ମଜଦୂର ସଂଘ ଆମରଣ ଅନଶନ କରିବ ବୋଲି କହିଛନ୍ତି ରାଜ୍ୟ ଉପ ସାଧାରଣ ସମ୍ପାଦକ ଭାଜନ କୁମାର ମହାପାତ୍ର ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ