ଗଞ୍ଜାମରେ ବିଜେଡି ଏବଂ ବିଜେପି ଫାଳ ଫାଳ…

ଗଞ୍ଜାମ : ଭିନ୍ନ ମୋଡ ନେବାକୁ ଯାଉଛି ଗଞ୍ଜାମ ରାଜନୀତି । ଗଞ୍ଜାମରେ ବିଜେଡି ଖଣ୍ଡ ଖଣ୍ଡ ହୋଇଥିବାବେଳେ ଏବେ ବିଜେପି ମଧ୍ୟ ଖଣ୍ଡ ଖଣ୍ଡ ହୋଇଥିବା ଶୁଣିବାକୁ ମିଳିଛି । ଆଗାମୀ ସାଧାରଣ ନିର୍ବଚନ ପୂର୍ବରୁ ଦଳୀୟ କନ୍ଦଳକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି । ସେପଟେ ବିଜେପିର ଦଳୀୟ କନ୍ଦଳକୁ ନେଇ ରାଜ୍ୟ ବିଜେପି ମଧ୍ୟ ଚିନ୍ତା ପ୍ରକଟ କରିଛି । ଏ ନେଇ ରାଜ୍ୟ ବିଜେପି କର୍ମକର୍ତ୍ତା କୋଦଳା ଏନ୍ଏସି ଗ୍ରସ୍ତ କରି ସ୍ଥାନୀୟ ନେତୃବୃନ୍ଦଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟ ବିଜେପି ବରିଷ୍ଠ ନେତା ଗୋଲକ ମହାପାତ୍ର, ବରିଷ୍ଠ ନେତ୍ରୀ ଅନିତା ଶୁଭଦର୍ଶିନୀ କୋଦଳା ଗ୍ରସ୍ତରେ ଆସି ସ୍ଥାନୀୟ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ଉପାଧ୍ୟାକ୍ଷା ରଂଜିତା ସେଠି ଏବଂ ସମସ୍ତେ ବିଜେପି କାଉନସିଲରଙ୍କ ସହିତ ସାଙ୍ଗଠନିକ କାର୍ଯ୍ୟଶୈଳୀ ଉପରେ ଆଲୋଚନା କରିଛନ୍ତି ।

ସୂଚନା ଅନୁସାରେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ରଞ୍ଜନ କୁମାର ପଲାଇ କୋଦଳା ଅଧକ୍ଷ ଏବଂ ବିଜେପିର ଅନ୍ୟ କାଉନସିଲରମାନଙ୍କୁ ବିଜେଡିରେ ଯୋଗ ଦେବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ଦଳୀୟ ଶୃଙ୍ଖଳା ଭଙ୍ଗ ହେଉଥିବା ନେଇ ରାଜ୍ୟ ବିଜେପି ସଭାପତିଙ୍କ ପାଖକୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇ ଘଟଣାର ତୁରନ୍ତ ସମାଧାନ ଦିଗରେ ଦାବି ଉଠିଥିଲା । ଏ ନେଇ ରାଜ୍ୟ ବିଜେପି ଏକ ଟିମ୍ କୋଦଳା ଗ୍ରସ୍ତ କରି କର୍ମୀଙ୍କ ଓ ନେତାଙ୍କ ସହିତ ଆଲୋଚନା କରିଛନ୍ତି । ଅପରପକ୍ଷେ ଏ ନେଇ ବିଜେପି ନେତା ରଞ୍ଜନ ପଲାଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜେପି ଦୁଇ ଭାଗରେ ବିଭକ୍ତ ଥିବାରୁ ମୋ ଉଦେଶ୍ୟରେ ଏହା ଏକ ମିଥ୍ୟା ଅଭିଯୋଗ । ତେବେ ତାଙ୍କର ଏହି ବୟାନ ପରେ ଗଞ୍ଜାମରେ ବିଜେପିର କିଭଲି ସ୍ଥିତି ରହୁଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ : ବେଗୁନିଆପଡାରୁ ବାପୁନି କୁମାର ମାଲୁ