ଧାରଣାରେ ଶିକ୍ଷକ । ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ହେବାକୁ ବସିଛି…

କୋରାପୁଟ : କେରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକଶିକ୍ଷୟିତ୍ରୀମାନେ ୩ ଦଫା ଦାବି ନେଇ ସମୁହ ଛୁଟିରେ ରହିବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଶିକ୍ଷକଙ୍କ ଏହି ଧାରଣା କାରଣରୁ ୯୦ରୁ ଅଧିକ ସ୍କୁଲରେ ତାଲା ଝୁଲିବା ସହ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ସେପଟେ ସୋମବାର ଦିନଠାରୁ ମଧ୍ୟ ମଧ୍ୟାହ୍ନ ଭୋଜନ ବନ୍ଦ କରାଯିବ ବୋଲି ଆନ୍ଦୋଳନକାରୀ ଶିକ୍ଷକଶିକ୍ଷୟିତ୍ରୀ କହିଛନ୍ତି । ଫଳରେ ବ୍ଲକର ସାତ ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଂଚିତ ହେବା ଆଶଙ୍କା ଦେଖାଦେଇଛି । ସ୍କୁଲ ପୋଷାକ ଏବଂ ଶାଢ଼ୀ ପିନ୍ଧି ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି । ରାଜ୍ୟ ସରକାର ଏହି ସବୁ ସମସ୍ୟାର ସମାଧାନ ପାଇଁ ଗତ ସେପ୍ଟେମ୍ବର ୫ ତାରିଖ ଧାର୍ଯ୍ୟ କରିଥିଲେ । ତେବେ ଗୁରୁ ଦିବସରେ ଗୁରୁଙ୍କୁ ରାଜ୍ୟ ସରକାର ଭେଟି ଦେବେ ବୋଲି ଶିକ୍ଷକମାନେ ଭାବି ନେଇଥିଲେ । କିନ୍ତୁ ରାଜ୍ୟ ସରକାର ପୁଣି ୧୮ ତାରିଖ ଦିନ ଧାର୍ଯ୍ୟ କରିଥିବାରୁ ସମସ୍ତ ଶିକ୍ଷକ ଛୁଟିରେ ରହିବା ସହିତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଜାମି ସତ୍ୟ ନାରାୟଣ, ସଭାପତି ପର୍ଶୁରାମ ତାଡିଙ୍ଗି କହିଛନ୍ତି । ଏହି ଧାରଣା ପଲ୍ଲୀଠୁ ରାଜଧାନୀ ଭୁବନେଶ୍ଵର ଯାଏଁ ଚାଲିଥିବା ବେଳେ ଶିକ୍ଷକଙ୍କ ଦାବି ସରକାର ଯଦି ନ ମାନନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଙ୍ଘ ଦାବି କରିଛି ।
ରିପୋର୍ଟ : କୋରାପୁଟ ଜିଲ୍ଲା ନାରାୟଣପାଟଣାରୁ ସଞ୍ଜୟ କୁମାର ପାଣି