ରାଧା-କୃଷ୍ଣ ବେଶରେ କୁନି କୁନି ପିଲା…

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ସଙ୍କୁଳ ଅଧୀନସ୍ଥ ଲର୍କା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ଧନଞ୍ଜୟ ବାଗ ଓ ଧର୍ମପତ୍ନୀ ଶାନ୍ତି ବାଗ ରହିଥିବାବେଳେ ପୂଜକ ଭାବେ ଗୌରୀ ଶଙ୍କର ମୁଣ୍ଡ ପୂଜାର୍ଚ୍ଚନା କରିଥିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୁଏ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । କୃଷ୍ଣ ଜନ୍ମାଷ୍ଟମୀ, କୃଷ୍ଣାଷ୍ଟମୀ, ଗୋକୁଳାଷ୍ଟମୀ ଆଦି ବିଭିନ୍ନ ନାମରେ ଏହା ଜଣାଶୁଣା । ଶ୍ରୀବିଷ୍ଣୁଙ୍କ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ, ଭଗବାନ ଶ୍ରୀକୃଷ୍ଣ ଦ୍ଵାପର ଯୁଗର ଶେଷ ଭାଗରେ ଧରାବତରଣ କରିଥିଲେ ।

ଦ୍ଵାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ପ୍ରଭୁଙ୍କର ଧରାବତରଣ ହୋଇଥିଲା । ଅଧର୍ମର ବିନାଶ ଓ ଧର୍ମ ରକ୍ଷା ନିମନ୍ତେ ଶ୍ରୀକୃଷ୍ଣ ଧରାପୃଷ୍ଠକୁ ଅବତରି ଥିଲେ । କଂସ ଦ୍ଵାରା ବନ୍ଦୀ ଭଉଣୀ ଦେବକୀଙ୍କ ଅଷ୍ଟମ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧରାତ୍ରିରେ ଶ୍ରୀକୃଷ୍ଣ ଜନ୍ମଲାଭ କରିଥିଲେ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହାଡ଼ମ୍ବର ସହକାରେ ପାଳିତ ହୁଏ । ଏହି ଉପଲକ୍ଷେ ଲର୍କା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ରାଧା, କୃଷ୍ଣ, ସୁଦାମା, ସୁବଳ ଆଦି ବିଭିନ୍ନ ବେଶରେ ସୁସଜ୍ଜିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ସଂକୀର୍ତ୍ତନ ଦଳ ସାଙ୍ଗରେ ଲର୍କା ଅନକାପୁର ଗାଁ ପରିଭ୍ରମଣ କରିଥିଲେ । ଏହି ଶୋଭାଯାତ୍ରାରେ ଶିଶୁ ମନ୍ଦିର କମିଟି ସଭାପତି ଶିବ ନାରାୟଣ ହୋତା, ଉମାକାନ୍ତ ଖମାରି, ଗୋବିନ୍ଦ ସିଂ, ରତ୍ନାକର ହଂସ, ମୀନକେତନ ମାଝୀ, କୁନ୍ତଳା ଶବର, ହରି ଶବର, ପ୍ରବୀଣ ବେହେରା, ପ୍ରଧାନ ଆଚାର୍ଯ୍ୟ, ଶଙ୍କର ଲାଲ ରାଉତ, ଦେବାସିଂ ସଲମା, ଅମିୟ ତଥା ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ନୂଆପଡ଼ାରୁ କୀର୍ତ୍ତି ଚନ୍ଦ୍ର ନାଗ