ନର୍ସିଂ ଅଫିସରଙ୍କ ଚୁକ୍ତିଭିତ୍ତିକ ଅବଧିକୁ ବିଚାର କରି ବରିଷ୍ଠତାକୁ ନେଇ ପଦୋନ୍ନତି ଦିଆଯାଉ…

ଗଜପତି : ୧୨ ଦଫା ଦାବି ନେଇ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ଗଜପତି ଜିଲ୍ଲାର ନର୍ସିଂ ଅଫିସର । ସେମାନଙ୍କ ଦାବି ପୂରଣ ନ ହେବା ପ୍ରତିବାଦରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନର୍ସିଂ ଅଫିସରମାନେ ଏଭଳି କଳାବ୍ୟାଚ ପରିଧାନ କରି କାର୍ଯ୍ୟ ତୁଳାଇବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନର୍ସିଂ କର୍ମଚାରୀ ସଂଘ । ୧୨ ଦଫା ଦାବି ଗୁଡିକ ହେଲା, ଜରୁରୀକାଳୀନ କାର୍ଯ୍ୟକୁ ଦୃଷ୍ଟିଦେବା ସହିତ ଅନ୍ୟ ରାଜ୍ୟରେ ନର୍ସିଂ ଅଫିସରମାନଙ୍କ କ୍ଷେତ୍ରରେ ଲାଗୁ ହେଉଥିବା ମୂଳ ଦରମାକୁ ତୁଳନା କରି ଓଡ଼ିଶାରେ ନର୍ସ ଅଫିସରଙ୍କର ଦରମାରେ ଥିବା ଅସଙ୍ଗତିକୁ ଦୂର କରାଯାଉ ଏବଂ ନର୍ସିଂ ଅଫିସରଙ୍କର ମୂଳ ସ୍ତରର ଦରମାକୁ ସଂଶୋଧନ କରାଯାଉ । ୧୨ ନଭେମ୍ବର ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କ ଚୁକ୍ତିଭିତ୍ତିକ ଅବଧିକୁ ବିଚାର କରି ବରିଷ୍ଠତାକୁ ନେଇ ପଦୋନ୍ନତି ଦିଆଯାଉ । ଓଡିଶା ନର୍ସ ସର୍ଭିସ କ୍ୟାଡରକୁ ମଜବୁତ କରିବା ଉଦ୍ଦେଶ୍ୟରେ ମୂଳସ୍ତର ପୋଷ୍ଟର ୪୨% ଅପ-ଗ୍ରେଡେସନ୍ କରି ପଦୋନ୍ନତି ପୋଷ୍ଟ ବୃଦ୍ଧି କରିବା ସହିତ ୬ ରୁ ୩୦ ବର୍ଷ ଚାକିରୀ କରି କୌଣସି ପଦୋନ୍ନତି ପାଇନଥିବା ସମସ୍ତ ଯୋଗ୍ୟ ନର୍ସିଂ ଅଫିସରଙ୍କୁ ତୁରନ୍ତ ପଦୋନ୍ନତି କରାଯାଉ ।
KBK, KBK + ଏବଂ ଆଦିବାସୀ ସବ୍-ପ୍ଲାନ୍ କଠିନ ଅଞ୍ଚଳରେ କାର୍ଯ୍ୟ କରୁଥିବା ନର୍ସ କର୍ମଚାରୀଙ୍କ ପାଇଁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି (Place Based Allowance) ପ୍ରଦାନ କରାଯାଉ । ନର୍ସିଂ ଅଫିସରଙ୍କର ଏବଂ ନର୍ସିଂ କ୍ୟାଡରର ପ୍ରଶାସନିକ ପଦରେ କାର୍ଯ୍ୟରତ ଥିବା ଅଧିକାରୀଙ୍କର ଡ୍ରେସ୍ କୋଡ଼ ସଂଘର ପ୍ରସ୍ତାବ ଅନୁସାରେ ପରିବର୍ତ୍ତନ କରାଯାଉ । ଯେଉଁ ନର୍ସିଂ ଅଫିସରମାନେ ରାଜ୍ୟ ସରକାରଙ୍କ ଅଧୀନରେ ୬ ବର୍ଷ ଧରି ନିୟମିତ ସେବା ଯୋଗାଇଛନ୍ତି ସେମାନଙ୍କ କ୍ଷେତ୍ରରେ ଇଣ୍ଟର-ଡିଷ୍ଟ୍ରିକ୍ଟ ସ୍ଥାନାନ୍ତର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉ ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା