ଓଡ଼ିଶା ହାଇକୋର୍ଟରେ ଯୋଡି ହେଲେ ଆଉ ଦୁଇ ବିଚାରପତି…

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା । ଉଭୟଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଶପଥପାଠ କରାଇଛନ୍ତି । ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୨ର ପହଞ୍ଚିଛି । ଅଗଷ୍ଟ ୧୭ ତାରିଖରେ ଦୁଇ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ । ଏହାସହ ଉଭୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
ଜୟପୁରରେ ୧୯୬୮ମସିହାରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଶିବଶଙ୍କର ମିଶ୍ର । ସେ କୋରାପୁଟର ଜୟପୁର ଲ’ କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । କୋରାପୁଟ ଜିଲ୍ଲାର ପ୍ରଥମ ବ୍ୟକ୍ତିଭାବେ ସେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଜଷ୍ଟିସ ଶିବଶଙ୍କର ମିଶ୍ର ୧୯୯୧ ମସିହାରେ ଆଇନଜୀବୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କ ପାଖରେ ରହିଛି ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଏବଂ ଅନୁଭବ । ଦେୱାନୀ, ଫୌଜଦାରୀ ଓ ଚାକିରି ସମ୍ପର୍କିତ ଆଇନରେ ତାଙ୍କ ସ୍ୱତନ୍ତ୍ର ଦକ୍ଷତା ରହିଛି । ଏହାସହ ସୁପ୍ରିମକୋର୍ଟରେ ସେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଅନ୍ ରେକର୍ଡ ଅଛନ୍ତି । ସେ ଓଡ଼ିଶା ହାଇକୋର୍ଟ ଓ କେନ୍ଦ୍ର ସରକାରଙ୍କ ପାଇଁ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ।
ସେହିଭଳି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ୧୯୬୪ ମେ ୨୩ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା ୨୦୦୪ ମସିହାରେ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାର ବିଭାଗରେ ଯୋଗ ଦେଇଥିଲେ । ୨୦୧୩ରେ ଜିଲ୍ଲା ଜଜ୍ ରେଗୁଲାର କ୍ୟାଡରରେ ଯୋଗ ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ପଦ ପଦବୀରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ତାଙ୍କର ଉତ୍ତମ ବ୍ୟକ୍ତିଗତ ଓ ପେସାଗତ ଭାବମୂର୍ତ୍ତି ରହିଛି । ଜଷ୍ଟିସ୍ ବେହେରା ରାଜ୍ୟ ଭିଜିଲାନ୍ସରେ ଲିଗାଲ ଆଡଭାଇଜର ଭାବେ କାର୍ଯ୍ୟରତ ଥିବାବେଳେ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାଁ ସୁପାରିସ କରିଥିଲେ ।