ଏଣିକି ବୈଠକ ହେବ ଏବଂ ଲୋକଙ୍କ ସମସ୍ୟାର ସମାଧାନ ହେବ: ବିଧାୟକ

ସାଲେପୁର : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତ ମିଶନଶକ୍ତି ଗୃହ ପ୍ରାଙ୍ଗଣରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ରହି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ବିଶେଷ କରି ରାସ୍ତାଘାଟ, ପାନୀୟ ଜଳ ପ୍ରକଳ୍ପ, ଭତ୍ତା ବଣ୍ଟନ, ଶିକ୍ଷା, ଜଳସେଚନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସ୍ଥିତ ଜନସାଧାରଣଙ୍କଠାରୁ ଅଭିଯୋଗ ଦରଖାସ୍ତମାନ ଗ୍ରହଣ କରାଯାଇଥିଲା ।
ବିଧାୟକ ଶ୍ରୀ ବେହେରା କହିଥିଲେ ଯେ, ଦୋଆବ ଅଞ୍ଚଳର ବିକାଶ ସହିତ ନିଶ୍ଚିନ୍ତକୋଇଲି ବ୍ଲକରେ ଥିବା ଚଉଦଟି ପଞ୍ଚାୟତ ସମେତ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଜନସାଧାରଣଙ୍କ ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ । ଏହି ବୈଠକରେ ବିଜେଡ଼ି ଜିଲ୍ଲା ଉପସଭାପତି ଅଚ୍ୟୁତାନନ୍ଦ ଦାସ, ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ ଉଦବୋଧନ ଦେଇଥିବାବେଳେ ବିଶ୍ୱଜିତ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଧାୟକଙ୍କ ଉପସ୍ଥିତିରେ ଲେଣ୍ଡୁରା ଭଗବାନପୁରର ଯୁବ ନେତା ସାଗର କୁମାର ନାୟକ ବିଜେଡ଼ିରେ ଯୋଗ ଦେଇଥିଲେ ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା