ବିଜେଡିର ଏକଛତ୍ରବାଦ ଶାସନ । ଫଳକରେ ରହିଲାନି ବିଜେପି ବିଧାୟକଙ୍କ ନାମ…

ଗଜପତି : ଗଜପତିରେ ତେଜିଲା ଫଳକ ରାଜନୀତି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଙ୍ଗମ ସାହି ଛକରେ ଆର୍.ଉଦୟଗିରି ମାର୍କେଟିଂ କୋପରେଟିଭ୍ ସୋସାଇଟି ପକ୍ଷରୁ ନୂତନ ଭାବେ ନିର୍ମିତ ପେଟ୍ରୋଲ ପମ୍ପ ଉଦଘାଟନ ଫଳକରେ ପାରଳା ବିଧାୟକଙ୍କ ନାମ ନ ଥିବାକୁ ନେଇ ପ୍ରତିବାଦ କରିଥିଲା ବିଜେପି । ଏ ନେଇ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ବିଜେପି ସମର୍ଥକ ଦଳୀୟ ପତାକା ନେଇ ଉଦଘାଟନ ସ୍ଥଳରେ ପହଞ୍ଚି ଫଳକର ଆବରଣକୁ ଖୋଲିଥିଲେ । ଫଳରେ ବିଜେଡି ସମର୍ଥକମାନେ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା ।
ତେବେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର । ସାମାଜିକ କାର୍ଯ୍ୟରେ ଏଭଳି ପାତରଅନ୍ତରକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଗଜପତିରୁ ବିବେକାନନ୍ଦ ବେହେରା