ରିଲିଜ୍ ହେଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ । ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭର୍ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର…

ଭୁବନେଶ୍ୱର : ‘କଞ୍ଚା ଲଙ୍କା ସିନେମା ହଲ୍’ ରେ ପ୍ରଥମ ଥର ପାଇଁ ରିଲିଜ୍ ହେଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ଟି’ । ଜିତେଶ କୁମାର ପରିଡାଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ‘ଟି’ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଗ୍ରାମର କାହାଣୀ । ଏହି ଚଳଚ୍ଚିତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନ ପଛର ଦୁଃଖ ଏବଂ ସଂଘର୍ଷ ଖୁବ ସୁନ୍ଦର ଭାବରେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ର ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର କ୍ୟାବ୍ ଡ୍ରାଇଭର୍ ମେଘନା ସାହୁଙ୍କ ଜୀବନୀ ଉପରେ ଆଧାରିତ ।
ଏହା ଉପରେ ଅଧିକ ସୂଚନା ଦେଇ ‘ଟି’ ନିର୍ଦ୍ଦେଶକ କହିଛନ୍ତି ଯେ, ‘ଓଡିଶାରେ ଏହି ମହତ୍ତ୍ୱପୂର୍ଣ୍ଣ ଡିଜିଟାଲ୍ ମିଶନରେ ଅଂଶ ଗ୍ରହଣ କରି ମୁଁ ବହୁତ ଖୁସି । ମୁଁ ଆଶା କରୁଛି ଯେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ଏହି ମିଶନରେ ଯୋଗଦେବେ ଯାହା କେବଳ ଓଡିଶାର ସିନେମା ହଲ୍ ଅଭାବର ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନୁହେଁ ବରଂ ଆମକୁ ଓଡ଼ିଆ ସଂସ୍କୃତିକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଶ ବିଦେଶରେ ପହଞ୍ଚାଇବାରେ ସାହାଯ୍ୟ କରିବ ।’
ଓଡ଼ିଶାର ଅଗ୍ରଣୀ ଓଟିଟି ପ୍ଲାଟଫର୍ମ ‘କଞ୍ଚା ଲଙ୍କା’ ପାରମ୍ପରିକ ସିନେମା ହଲରୁ ଆଉ ପାଦେ ଆଗେଇ ନିଜର ନୂଆ ଟିଭିଓଡି ସର୍ଭିସ୍ ‘କଞ୍ଚା ଲଙ୍କା ସିନେମା ହଲ୍’ କୁ ସିନେମା ଦୁନିଆରେ ଉପସ୍ଥାପନ କରିଛି । ଓଡ଼ିଶାର ଚଳଚ୍ଚିତ୍ର ନିର୍ମାତା ପାରମ୍ପରିକ ସିନେମା ହଲ୍ ସହ ‘କଞ୍ଚା ଲଙ୍କା ସିନେମା ହଲ୍’ରେ ନିଜ ଫିଲ୍ମ ରିଲିଜ୍ କରିପାରିବେ । କେବଳ ଓଡ଼ିଶାରୁ ନୁହେଁ ଦେଶ ବିଦେଶରୁ ଦର୍ଶକ କଞ୍ଚା ଲଙ୍କାରେ ଶୋ ବୁକ୍ କରି ଓଡ଼ିଆ ସିନେମା ଦେଖିପାରିବେ । ଏଥିରୁ ଅର୍ଜିତ ଆୟ (ଟିକସ, ଗେଟୱେ ଚାର୍ଜ ଓ ପ୍ଲେ ଷ୍ଟୋର୍ ଚାର୍ଜକୁ ବାଦ ଦେଲା ପରେ)ରେ ‘କଞ୍ଚା ଲଙ୍କା’ ଓ ଫିଲ୍ମ ନିର୍ମାତା ସମାନ ଭାଗୀଦାର ରହିବେ । ସମସ୍ତ ବ୍ୟବସାୟ ସ୍ବଚ୍ଛ ଢଙ୍ଗରେ ହେବ ଓ ନିର୍ମାତା ୩ ଦିନ ଭିତରେ ନିଜ ଆୟ ନେଇପାରିବେ ବୋଲି ‘କଞ୍ଚା ଲଙ୍କା’ କର୍ତ୍ତୃପକ୍ଷ ଜଣାଇଛନ୍ତି ।
ଏହି ଅବସରରେ ‘କଞ୍ଚା ଲଙ୍କା’ର କୋ-ଫାଉଣ୍ଡର ତଥା ଚେୟାରମ୍ୟାନ୍ ଅକ୍ଷୟ କୁମାର ପରିଜା କହିଛନ୍ତି, “‘କଞ୍ଚା ଲଙ୍କା ସିନେମା ହଲ୍’ ର ଶୁଭାରମ୍ଭ କରି ଆମେ ବହୁତ ଖୁସି । ଏହା ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଶା, ଦେଶ ତଥା ବିଦେଶରେ ଦର୍ଶକଙ୍କ ପାଖରେ ପହଞ୍ଚାଇ ପାରିବ ଏବଂ ସିଧାସଳଖ ଦର୍ଶକଙ୍କଠାରୁ ଫିଲ୍ମ ନିର୍ମାତା ଅଧିକ ଆୟ ଉପାର୍ଜନ କରି ପାରିବେ ।”
‘କଞ୍ଚା ଲଙ୍କା’ ସିନେମା ହଲ୍ ୱେବସାଇଟ୍, ମୋବାଇଲ୍ ଆପ୍ (ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍), ଆଣ୍ଡ୍ରଏଡ୍ ଟିଭି, ଫାୟାର ଟିଭି, ଆପଲ୍ ଟିଭି ସହ ଭାରତ ଏବଂ ଅନ୍ୟାନ୍ୟ ୧୬ଟି ଦେଶରେ ଉପଲବ୍ଧ । ଆପ୍ ଭିତରେ ବିଜ୍ଞପ୍ତି (ପ୍ରାୟ ୧୦ ଲକ୍ଷ ଆପ୍ ଇନଷ୍ଟଲ୍), ୟୁ ଟ୍ୟୁବ୍ ପୋଷ୍ଟ (୧ ଲକ୍ଷରୁ ଉର୍ଦ୍ଧ୍ବ ସବସ୍କ୍ରାଇବର୍), ଫେସ୍ ବୁକ୍ ପୋଷ୍ଟ (ପ୍ରାୟ ୫୦ ହଜାର ଫଲୋଅର), ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଏବଂ ଅନ୍ୟାନ୍ୟ ମାଧ୍ୟମରେ ‘କଞ୍ଚା ଲଙ୍କା’ ଫିଲ୍ମକୁ ମାର୍କେଟିଂ ସହାୟତା ପ୍ରଦାନ କରିବ । ଫିଲ୍ମ ନିର୍ମାତାମାନେ ମଧ୍ୟ ମାର୍କେଟିଂ କରିବେ ଯାହା ଦ୍ବାରା ଅଧିକରୁ ଅଧିକ ଗ୍ରାହକ ଟିଭିଓଡ଼ି ବିଷୟରେ ଜାଣିପାରିବେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ