ସ୍ବାସ୍ଥ୍ୟ ଆମ ପାଇ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ଏଥିପାଇଁ ଖର୍ଚ୍ଚ ହେଉଛି ୧୫୦୦ କୋଟି ଟଙ୍କା…

ଭୁବନେଶ୍ବର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂଘର ମିଳିତ ସହଯୋଗରେ ଚତୁର୍ଥ ସ୍ବାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଓଡିଶାର ଅଧ୍ୟକ୍ଷ ଜେବି ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କିର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉନ୍ନୟନ କମିସନର ତଥା ଜଳ ସଂପଦ ବିଭାଗର ଅତିରିକ୍ତ ସଚିବ ଅନୁ ଗର୍ଗ ଯୋଗ ଦେଇ କହିଥିଲେ ଯେ, ସ୍ବାସ୍ଥ୍ୟ ଆମ ପାଇ ଗୁରୁତ୍ୱପୂର୍ଣ୍ଣ । ବିଗତ ଦିନରେ ବଜେଟ୍ ୩୦୦ କୋଟି ଥିବାବେଳେ ବର୍ତମାନ ଏହାକୁ ୧୫୦୦ କୋଟିକୁ ବୃଦ୍ଧି କରାଯାଇଛି । ରାଜ୍ୟର ସ୍ବାସ୍ଥ୍ୟ ସେବାରେ ଉନ୍ନତିକରଣ ଯୋଗୁଁ ମେଲେରିଆ ଓ ଟ୍ୟୁବକଲେସିସ୍ ନିରାକରଣରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସ୍ବତନ୍ତ୍ର ଏୟାର ସେବା ଦ୍ବାରା ଡାକ୍ଟରୀ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ ରାଜ୍ୟ ସରକାର ତରଫରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇ କହିଥିଲେ ଯେ, ରାଜ୍ୟରେ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ଯୋଜନା କରାଯାଉଛି । ଏହା ପୂର୍ବରୁ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି କରାଯାଇ ପୋଷ୍ଟ ଗ୍ରାଜୁଏସନ ବ୍ୟବଧାନକୁ ବଢାଯାଉ । ରୋଗୀ ହସ୍ପିଟାଲରେ ଆଡମିଶନ ସମୟରେ ସମ୍ପର୍କୀୟଙ୍କ ଭଲରେ କାଉନସଲିଂ କରାଯାଉ । ଚିକିତ୍ସା ସମୟରେ ରୋଗୀ ସମ୍ପର୍କୀୟଙ୍କୁ ସମସ୍ତ ସୂଚନା ଦିଆଯାଉ । ଯଦ୍ବାରା ହସ୍ପିଟାଲରେ ବହୁ ମାତ୍ରାରେ ଗଣ୍ଡଗୋଳ କମିପାରିବ ।

କଳିଙ୍ଗ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ତଥା ଏଏଚପିଆଇ ଓଡିଶା ଚାପ୍ଟର ସମ୍ପାଦକ ନୀଳାଞ୍ଜନା ମୁଖେର୍ଜି କହିଥିଲେ ଯେ, ରାଜ୍ୟରେ ହେଲଥ୍ କେୟାର ଓ ହସ୍ପିଟାଲ ସଂଖ୍ୟା ବଢୁଛି । ସେହି ସ୍ଥାନରେ ପ୍ରଦୂଷଣ ବୋର୍ଡ, ଅଗ୍ନି ନିରାପତ୍ତା ଓ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ସଂଖ୍ୟା ବୃଦ୍ଧି କରିଯାଉ । “ଅବିଶ୍ୱାସନୀୟ ଭାରତ ପାଇଁ ସ୍ୱାସ୍ଥ୍ୟସେବା” ମୁଖ୍ୟ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା ।
ଏଥିରେ ୪ଟି ଟେକନିକାଲ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟସେବା ପ୍ରଫେସନାଲ ଏବଂ ଆଇନଗତ ଅଦ୍ୟତନ ବିରୋଧରେ ହିଂସା, ସ୍ୱାସ୍ଥ୍ୟସେବାରେ ଗୁଣବତ୍ତା ଏବଂ ପରିମାଣକୁ ସନ୍ତୁଳନ କରିବା ପାଇଁ ଦକ୍ଷତା ବିକାଶ, କର୍ମଶାଳା ପରିଚାଳନା ଭାରତୀୟ ସ୍ୱାସ୍ଥ୍ୟସେବା ଏବଂ ଦୃଢ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣରେ ନୀତି ଏବଂ ନିୟମାବଳୀ, ମେସିନ୍ ଲର୍ନିଂ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରୁ ସ୍ୱାସ୍ଥ୍ୟସେବା କ’ଣ ଇଚ୍ଛା କରେ ଏ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଗ୍ରାମୀଣ କୋଣରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ବୃଦ୍ଧି କରିବାଠାରୁ ଆରମ୍ଭ କରି ଡିଜିଟାଲ୍ ଟେକ୍ନୋଲୋଜି ସ୍ବାସ୍ଥ୍ୟ ପ୍ରଯୁକ୍ତିବିଦ୍ୟାର ଶକ୍ତି ବ୍ୟବହାର କରିବା, ଅଣ-ସଂକ୍ରମଣ ରୋଗର ବିକାଶର ଭାରକୁ ଦୂର କରିବାଠାରୁ ଆରମ୍ଭ କରି ଗୁଣାତ୍ମକ ଚିକିତ୍ସାର ସମାନ ସୁବିଧା ସୁନିଶ୍ଚିତ କରିବା ପର୍ଯ୍ୟନ୍ତ, ବିଚାର ବିମର୍ଶ କରିଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡଃ. ବିଷ୍ଣୁ ପ୍ରସାଦ ମହାପାତ୍ର, ଏଏଚପିଆଇ ମହା ନିର୍ଦ୍ଦେଶକ ଡ.ଗିର୍ଧର ଜେ ଜ୍ଞାନି, ଏଏଚପିଆଇ ଓଡିଶା ଚାପ୍ଟର ସଭାପତି ଡ.ଦୀପକ ମିତ୍ର , ଆଇସିସି ଓଡିଶା ଡେପୁଟି ଡାଇରେକ୍ଟର ତଥା ଆଞ୍ଚଳିକ ମୁଖ୍ୟ ଜ୍ୟୋତିପ୍ରକାଶ ପାଲ ପ୍ରମୁଖ ଯୋଗ ଦେଇ ସ୍ବାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ରିପୋର୍ଟ : ଭୁବନେଶ୍ବରରୁ ଅଭିଜିତ୍ ସିଂ