ଅଙ୍ଗନବାଡ଼ି ଦିଦିଙ୍କ ଟିକେ ଅବହେଳା, ସବୁଦିନ ପାଇଁ ଚାଲିଗଲା ପୁଅ…

ସାଲେପୁର : ଅଙ୍ଗନବାଡି କର୍ମୀଙ୍କ ଅବହେଳାରୁ ଚାଲିଗଲା ଏକ ନିରୀହ ଶିଶୁର ଜୀବନ । ଛୋଟ ଛୋଟ ପିଲାଙ୍କ ଦାୟିତ୍ବ ନେଉଥିବା ଅଙ୍ଗନବାଡି କର୍ମୀ ଭୁଲିଗଲେ ନିଜର କର୍ତ୍ତବ୍ୟ । ମାତ୍ର ଚାରି ବର୍ଷର ଶିଶୁକୁ ପରିବାର ଜିମା ନ ଦେଇ ଅନ୍ୟତ୍ର ଛାଡି ଚାଲିଗଲେ । ଶେଷରେ ପରିବାର ଲୋକ ଶିଶୁଟିକୁ ପାଇଲେ । ମାତ୍ର ସେତେବେଳକୁ ତା ପିଣ୍ଡରେ ପ୍ରାଣ ନ ଥିଲା । ଟିକେ ମାତ୍ର ବିଳମ୍ବ ଜଣେ ଶିଶୁକୁ ତା ମା କୋଳରୁ ଅଲଗା କରିଦେଲା । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ପିକୋଳ ପଞ୍ଚାୟତ ଚମାରିଗୋଳ ଗ୍ରାମରେ ।
ସୂଚନା ଅନୁସାରେ, କ୍ଷିତୀଶ ରଞ୍ଜନ ଓଝାଙ୍କ ଚାରିବର୍ଷର ପୁଅ ତାପସ ଓଝା ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଆଉ ଘରକୁ ଫେରି ନଥିଲା । ପରିବାର ଓ ଗ୍ରାମଲୋକ ବହୁ ଖୋଜାଖୋଜି କରିବା ପରେ ୬ନଂ କେନାଲର ସୁନ୍ଦରପୁର ପୋଲ ନିକଟରେ ଶିଶୁଟିକୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାକୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଗ୍ରାମ ଲୋକଙ୍କ ଅଭିଯୋଗ କ୍ରମେ ଅଙ୍ଗନବାଡି ଦିଦି ଓ ସହାୟିକାଙ୍କ ଅବହେଳା ଯୋଗୁଁ ନିରୀହ ଶିଶୁଟିର ଜୀବନ ଚାଲିଯାଇଛି ବୋଲି ଅଭିଯୋଗ ହେଉଛି । ତେବେ ପରିବାର ପକ୍ଷରୁ ଏ ନେଇ ଏକ ଲିଖିତ ଅଭିଯୋଗ କରାଯାଇଛି । ସାଲେପୁର ଥାନା ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇ ତଦନ୍ତ ଚଳାଇଛି ।
ରିପୋର୍ଟ : ସାଲେପୁରରୁ ଅଭୟ ଜେନା