ଓଡିଶା

ସରପଞ୍ଚଙ୍କ ମାସିକଭତ୍ତା ସର୍ବନିମ୍ନ ୩୦ହଜାର ଟଙ୍କା ଦାବି…

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଣଦେଖା କରି ସାମ୍ବିଧାନିକ ବ୍ୟବସ୍ଥାକୁ କ୍ଷୁର୍ଣ୍ଣ କରିବା ପ୍ରତିବାଦରେ ଆଜି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇଛି । ଏହି ଅବସରରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତ୍ରୀ ପ୍ରଧାନଙ୍କୁ ଏକ ୧୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ସରପଞ୍ଚ ସଂଘର ଆହ୍ୱାନ କ୍ରମେ ଜିଲ୍ଲାର ମୋଟ ୧୩୧ ପଞ୍ଚାୟତର ସରପଞ୍ଚ ସ୍ଥାନୀୟ ପୋଲିସ ପଡ଼ିଆସ୍ଥିତ ଏନ୍ଏସି କଲ୍ୟାଣ ମଣ୍ଡପରେ ଏକତ୍ରିତ ହୋଇଥିଲେ । ସରପଞ୍ଚ ସଂଘ ଜିଲ୍ଲା ସଭାପତି ପ୍ରେମଲାଲ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବିକ୍ଷୋଭରେ ସଂଘର ଉପସଭାପତି କାଳିଆ ପ୍ରଧାନ, ସାଧାରଣ ସମ୍ପାଦକ ଖୁଟୁରାମ ସୁନାନୀ, ସହସମ୍ପାଦକ ବୃନ୍ଦାବନ ବାଗ, କୋଷାଧ୍ୟକ୍ଷ ରାମଲାଲ ପଣ୍ଡା, କୋମନା ବ୍ଳକ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଖଡ଼ିଆଳ ବ୍ଲକ ସଭାପତି ନୀଳାଦ୍ରି ମେହେର, ଉପଦେଷ୍ଟା ବିମଳ ଯୋଶୀ, ଶ୍ୟାମସୁନ୍ଦର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ପ୍ରତିନିଧିଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଥିଲା । ସଂଘ କର୍ମକର୍ତ୍ତା ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଘେରାଉ କରିବା ସହ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆର୍ଥିକ ସହାୟତା ସିଧାସଳଖ ପଞ୍ଚାୟତକୁ ଦେବା, ସରପଞ୍ଚଙ୍କ ମାସିକଭତ୍ତା ସର୍ବନିମ୍ନ ୩୦ହଜାର ଟଙ୍କା କରିବା, ସରପଞ୍ଚ ସିଧାସଳଖ ଭୋଟରଙ୍କ ଦ୍ଵାରା ପ୍ରତ୍ୟକ୍ଷ ନିର୍ବାଚିତ ହୋଇଥିବାରୁ ଅନାସ୍ଥା ପ୍ରସ୍ତାବ ଉଚ୍ଛେଦ, ସାଂସଦ, ବିଧାୟକଙ୍କ ଭଳି ସରପଞ୍ଚଙ୍କୁ ସ୍ଵତନ୍ତ୍ର ଆଞ୍ଚଳିକ ବିକାଶ ପାଣ୍ଠିରେ ବାର୍ଷିକ ୨୦ ଲକ୍ଷ ଅନୁଦାନ ପ୍ରଦାନ କରିବାକୁ ଦାବି କରିଥିଲେ ।

ଏଥିସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସିଧାସଳଖ ସମ୍ପୃକ୍ତ କରିବା, ପୂର୍ବଭଳି ନଳକୂଅ ସାମଗ୍ରୀ କିଣା ଓ ପରିଚାଳନା ପଞ୍ଚାୟତ ହାତରେ ଦିଆଯିବା, ଉନ୍ନୟନମୂଳକ କାମ ହାତକୁ ନେଲେ ସରପଞ୍ଚଙ୍କଠାରୁ କାର୍ଯ୍ୟ ସମାପ୍ତିର ପ୍ରମାଣପତ୍ର ନେବାର ବ୍ୟବସ୍ଥା କରାଯିବା ଆଦି ଦାବି କରାଯାଇଛି । ଏହା ବ୍ୟତୀତ ସିଏଫସି ଓ ଏସ୍ଏଫସି ଅନୁଦାନ ୩ ଗୁଣା ବୃଦ୍ଧି କରିବା, ସରପଞ୍ଚଙ୍କ କାର୍ଯ୍ୟକାଳରେ ମୃତ୍ୟୁବରଣ କଲେ ୨୦ ଲକ୍ଷର ଜୀବନ ବୀମା ବ୍ୟବସ୍ଥା କରିବା, ପ୍ରତ୍ୟେକ ବର୍ଷ ସରପଞ୍ଚଙ୍କୁ ଜରୁରିକାଳୀନ ସ୍ଥିତି ପାଇଁ ଅନ୍ୟୁନ ୧୦ଟି ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ବଣ୍ଟନ କ୍ଷମତା ଦିଆଯିବା, ସରପଞ୍ଚଙ୍କୁ ଅବସରକାଳୀନ ୧୦ ହଜାର ଟଙ୍କା ଭତ୍ତା ଦେବା ଭଳି ଦାବି ଉପସ୍ଥାପନ ହୋଇଛି ।

ଆସନ୍ତା ୭ ଦିନ ମଧ୍ୟରେ ଏହି ସବୁ ଦାବି ଉପରେ ସରକାର ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ସରପଞ୍ଚ କଲମ ଛାଡ (ଦାୟିତ୍ଵମୁକ୍ତ) ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ସରପଞ୍ଚ ଯୋଗେନ୍ଦ୍ର ବାଗ, କୁନୁ ଚରଣ ବେହେରା, ଟେକରାମ ସାହୁ, ବିଜୟଲକ୍ଷ୍ମୀ ବରାଲ, ମିଥିଲା ନାଏକ, ସନ୍ଧ୍ୟାରାଣୀ ମିର୍ଦ୍ଧା, ସୁରସିଂ ମାଝି, ଆଲ୍ହାଦିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ନୂଆପଡ଼ାରୁ କିର୍ତ୍ତୀ ଚନ୍ଦ୍ର ନାଗ

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା