ଜଗା ମିଶନ ନାଁରେ ଯେଉଁଠି ଲାଗିଛି ବଡ଼ ବଡ଼ ହୋଡିଂ, ସେଠାରେ ହିଁ ଲୋକେ ପାଇନାହାନ୍ତି ଭୂମି ପ୍ରମାଣପତ୍ର…

କୋରାପୁଟ : ବିକାଶର ନଗ୍ନ ଚିତ୍ର । କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଗରିବ ଶ୍ରେଣୀର ଲୋକଙ୍କ ନିମନ୍ତେ ମୌଳିକ ଆବଶ୍ୟକତା ଯଥା ଖାଦ୍ୟ, ବସ୍ତ୍ର ଏବଂ ବାସଗୃହର ଆବଶ୍ୟକତାକୁ ପୂରଣ କରିବା ଲାଗି କୋଟିକୋଟି ଟଙ୍କାର ବ୍ୟୟବରାଦ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ତୃଣମୂଳସ୍ତରରେ ଏମାନଙ୍କ ମୌଳିକ ଅଧିକାର ବାଟମାରଣା ହେଉଛି ।
ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା କୋଟପାଡ଼ ଏନ୍ଏସି କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ୱାର୍ଡ ନଂ -୬ ର l କୋଟପାଡ଼ ଏନ୍ଏସିର ବିଭିନ୍ନ ୱାର୍ଡରେ ଜଗା ମିଶନ ନାଁରେ ବଡ଼ ବଡ଼ ହୋଡିଂ ଲାଗିଛି । ଏ ହୋଡିଂ ୱାର୍ଡ ନଂ -୬ ରେ ମଧ୍ୟ ଲାଗିଛି । ସେଥିରେ ଲେଖା ଯାଇଛି ” ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ପ୍ରମାଣ ପତ୍ର ଓ ଆଦର୍ଶ ବସତି ବିଶ୍ୱର ସର୍ବବୃହତ ଯୋଜନା, ଆପଣଙ୍କ ସେବାରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ l
କିନ୍ତୁ ଏଯାବତ ଏହି ୱାର୍ଡରେ ନା ମିଳିଛି ପ୍ରକୃତ ଗରିବ ହିତାଧିକାରୀଙ୍କୁ ଭୂମି ପ୍ରମାଣ ପତ୍ର ନା ଏଠାରେ ପହଞ୍ଚି ପାରିଛି ଆବାସ ଯୋଜନା । ସରକାରୀ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି ଗରିବ ଶ୍ରେଣୀର ଲୋକେ l କୋଟପାଡ଼ ଏନ୍ଏସିରେ ସବୁଠାରୁ ଅଧିକା ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଥିବା ବେଳେ ୱାର୍ଡ ନଂ -୬ ର ଗରିବ ହିତାଧିକାରୀ ଏଯାଏଁ ଭଙ୍ଗା ଦଦାର ଗୃହରେ କଷ୍ଟରେ ବସବାସ କରୁଛନ୍ତି ।
ବର୍ଷା ଦିନେ ତାଙ୍କ ଦୁରାବସ୍ଥା କଥା କହିଲେ ନସରେ । କାହା ଘର ଭୁଶୁଡି ପଡିଛି ତା କାହାର ଝାଟିମାଟିର ଘରେ ବର୍ଷାପାଣି ଗଳୁଛି । ଫଳରେ ବାଧ୍ୟ ହୋଇ ପାଲଜରି ଟାଙ୍ଗି ଜୀବନ ଅତିବାହିତ କରୁଛନ୍ତି ବୃଦ୍ଧବୃଦ୍ଧା । ବାରମ୍ବାର ଏ ନେଇ ସେମାନେ ଏନ୍ଏସି କର୍ତୃପକ୍ଷଙ୍କୁ ଗୁହାରି କଲେ ସୁଦ୍ଧା ତାଙ୍କ ଗୁହାରି କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନଦେଇ ପ୍ରକୃତ ହିତାଧିକାରୀଙ୍କ ସମସ୍ୟା ଦୂର କରିବାର ଆବଶ୍ୟକତା ରହିଛି l ଯଦ୍ୱାରା ସରକାରୀ ଯୋଜନା ଖାଲି ବଡ ବଡ ହୋଡିଂ ଏବଂ ପ୍ରଚାରପ୍ରସାରରୁ ବାହାରି ସଫଳ ରୂପାୟନ ହୋଇପାରିବ l
ରିପୋର୍ଟ : କୋଟପାଡ଼ରୁ ସୁନୀଲ ଦାଶ